ରାଫେଲ୍ ଡିଲ୍ ସମ୍ପର୍କିତ ସମସ୍ତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ ! ପ୍ରଧାନ ବିଚାରପତି କହିଲେ, ଡିଲରେ ହୋଇନି କୌଣସି ଅନିୟମିତତା

605

କନକ ବ୍ୟୁରୋ : ରାଫେଲ୍ ଡିଲ୍ ଉପରେ ମୋଦି ସରକାରଙ୍କୁ ମିଳିଛି ଆଶ୍ୱସ୍ତି । ରାଫେଲ ଡିଲ୍ ସର୍ମ୍ପକରେ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ସମସ୍ତ ଆବେଦନ ଖାରିଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ରାଫେଲ ଡିଲରେ କୌଣସି ଅନିୟମିତତା ହୋଇନାହିଁ ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗୋଇ କହିଛନ୍ତି । ସେହିପରି ଡ୍ରି ମୂଲ୍ୟ ସର୍ମ୍ପକରେ ଜାଣିବା କୋର୍ଟଙ୍କ କାମ ନୁହେ ବୋଲି ଜଷ୍ଟିସ ଗୋଗୋଇ କହିଛନ୍ତି । ରାଫେଲ ଡିଲର ସମସ୍ତ ତଥ୍ୟକୁ ପୁଙ୍ଖାନୁପୁଙ୍ଖ ଭାବେ ପଢିଛୁ ଓ ଡିଲ ସର୍ମ୍ପକରେ ସମସ୍ତ ପ୍ରକ୍ରୀୟା ଠିକ୍ ଅଛି ଏବଂ ଦେଶ ପାଇଁ ଏହି ବିମାନର ଆବଶ୍ୟକତା ରହିଛି ବୋଲି ଜଷ୍ଟିସ ଗୋଗୋଇ କହିଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗେଇଙ୍କ ନେତୃତ୍ୱରେ ଗଠିତ ୩ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି । ନଭେମ୍ବର ୨୪ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ରାଫେଲ ଡିଲ ସର୍ମ୍ପକରେ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା । ଆଜିର ଚୂଡାନ୍ତ ରାୟ ଉପରେ ବିରୋଧୀ ଓ ଶାସକ ଦଳର ନଜର ରହିଥିଲା । ରାଫେଲ ଡିଲକୁ ନେଇ ବିରୋଧୀ ଲଗାତାର ଏନଡିଏକୁ ଟାର୍ଗେଟ କରୁଥିବା ବେଳେ ଏହାକୁ ନେଇ ସଂସଦରେ ବିବାଦ ଲାଗି ରହିଛି । ଗୋଟିଏ ଯୁଦ୍ଧ ବିମାନ ପିଛା ପ୍ରାୟ ୧,୬୭୦କୋଟି ଟଙ୍କା ମୂଲ୍ୟରେ ଭାରତ ସରକାର ବିମାନ କ୍ରୟ କରିଥିବା ବେଳେ ୟୁପିଏ ସରକାର ଅମଳରେ ଏହାର ଦାମ ୫୨୬କୋଟି ଥିଲା ବୋଲି କଂଗ୍ରେସ ଦାବି କରିଛି ।

image courtesy – www.dailyexcelsior.com

ତେବେ ନୂଆ ପିଢ଼ିର ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନରେ ଅତ୍ୟାବଶ୍ୟକ ଯୁଦ୍ଧାସ୍ତ୍ର ଖଞ୍ଜାଯାଇଥିବାରୁ ଏହାର ଦାମ ଅଧିକ ରହିଥିବା କୁହାଯାଇଛି । ଫ୍ରାନ୍ସ ସରକାରଙ୍କ ସହ ହୋଇଥିବା ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ନିଷ୍ପତ୍ତି ସଂକ୍ରାନ୍ତ ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ ଏହି ମାମଲା ନେଇ ରାଜନୀତି ସରଗରମ ହୋଇଥିଲା ।