ବିଜେଡ଼ିରୁ ଇସ୍ତଫା ଦେଲେ ରବି ମଲ୍ଲିକ ! ଅବିଚାର ହୋଇଥିବା ଅଭିଯୋଗ କରି ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

209

କନକ ବ୍ୟୁରୋ : ବିଜେଡ଼ିରୁ ଇସ୍ତଫା ଦେଲେ ରବି ମଲ୍ଲିକ । କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେବା ସହ ଯୋଜନା ବୋର୍ଡର ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି ରବି ମଲ୍ଲିକ । ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରବି ମଲ୍ଲିକ ନିଜର ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିବା ଜଣାଯାଇଛି । ରବି ମଲ୍ଲିକ ୨୦୦୯ରୁ ୨୦୧୪ଯାଏଁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ବିଜେଡ଼ି ଛାଡ଼ିଲେ ବରିଷ୍ଠ ନେତା ତଥା କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ । ସେ ତାଙ୍କ ପ୍ରତି ଅବିଚାର ହୋଇଥିବା ଦର୍ଶାଇ ଇସ୍ତଫା ଦେଇଛନ୍ତି । ଟିକେଟ ନମିଳିବାରୁ କ୍ଷୋଭ ପ୍ରକାଶ କଲେ ରବି ମଲ୍ଲିକ । ୩୦ ବର୍ଷ ହେଲା ଦଳ ପାଇଁ କାମ କରିଛି । ତେବେ ଦଳ ଛାଡ଼ିବା ପରେ କାହାକୁ ଦାୟୀ କରିନାହାନ୍ତି । ସେ କହିଛନ୍ତି ମୁଁ ଜଣେ ଶୃଙ୍ଖଳିତ କର୍ମୀ ଥିଲି । ଚଳିତ ନିର୍ବାଚନ ପାଇଁ ଟିକେଟ ଦେବେ ବୋଲି ଆଶା କରିଥିଲି । ହେଲେ ମୋତେ ଟିକେଟ ମଳିଲା ନାହିଁ ।

ଅନ୍ୟପଟେ ଏଥର ବିଜେଡ଼ି ଟିକେଟ ମଳିଥିବା ପ୍ରାର୍ଥୀଙ୍କୁ କେଉଁ ଆଧାରରେ ପ୍ରାର୍ଥୀ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ଦଳରେ ଏବେ ମୋର ଆବଶ୍ୟକତା ନାହିଁ । ତେଣୁ ମୁଁ ଦଳରୁ ଇସ୍ତଫା ଦେବାକୁ ଉଚିତ ମଣିଲି । ତେବେ ଆଗକୁ ନିର୍ବାଚନ ଲଢ଼ିବେ ନା ନାହିଁ ବୋଲି କିଛି ସ୍ପଷଟ କରିନାହାନ୍ତି । ଆଗାମୀ ୨ ଦିନ ଭିରେ ନିଷ୍ପତ୍ତି ନେବି ବୋଲି ସେ କହିଛନ୍ତି ।  ନିର୍ବାଚନ ପାଖେଇ ଆସୁଥିବା ବେଳେ ଜୋର ଧରିଛି ଦଳଡ଼ିଆଁ ରାଜନୀତି । ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଦଳ ଡ଼େଉଁଛନ୍ତି ନେତା ।