ବରଗଡ଼ର ସାଂସଦ ଥିଲି, ବିଜେପୁର ପାଇଁ ମୁଁ ବି ଦାବିଦାର : ଟିକେଟ ମିଳିବା ପୂର୍ବରୁ ବଢ଼ିଲା ନେତାଙ୍କ ଆଶା

3,172
କନକ ବ୍ୟୁରୋ : ବିଜେପୁର ପାଇଁ କାହାକୁ ବାଛିବେ ବିଜେଡ଼ି ସୁପ୍ରିମୋ ? ଏଥର ଉପନିର୍ବାଚନ ପାଇଁ କାହାକୁ ପ୍ରାର୍ଥୀ କରିବ ବିଜେଡ଼ି । ଏହି ପ୍ରଶ୍ନ ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି ।  ବିଜେପୁର ଉପନିର୍ବାଚନ ବିଜେଡ଼ି ପାଇଁ ସମ୍ନାନର ପ୍ରଶ୍ନ ହୋଇଥିବା ବେଳେ ତାରିଖ ଘୋଷଣା ପରେ ବିଜେଡ଼ି ନେତାଙ୍କ ହୃଦସ୍ପନ୍ଦନ ବଢ଼ୁଛି । ସମୟ ପାଖେଇ ଆସୁଥିବା ବେଳେ ସଭାପତି କାହାକୁ ବାଛିବେ ତା’ ଉପରେ ସମସ୍ତଙ୍କ ନଜର । ୨୦୧୮ ବିଜେପୁର ଉପନିର୍ବାଚନରେ ରୀତା ସାହୁ ବିପୁଳ ଭୋଟରେ ବିଜୟୀ ହେବା ପରେ ତାଙ୍କୁ ଟିକେଟ ମିଳିପାରେ ବୋଲି ଆକଳନ ହେଉଛି । ଆଉ ଏବେ ନବୀନ ନିବାସରେ ଟିକେଟ ପାଇଁ ଲବି ଆରମ୍ଭ ହୋଇଯାଇଛି । ଅନ୍ୟପଟେ ଆଜି ବିଜେପୁର ପାଇଁ ଆଉ ଜଣେ ଦାବିଦାର ସାମ୍ନାକୁ ଆସିଛନ୍ତି । ପୂର୍ବତନ ବରଗଡ଼ ସାଂସଦ ପ୍ରଭାସ ସିଂ ଟିକେଟ୍ ଆଶାୟୀ ଅଛନ୍ତି ବୋଲି ଆଜି ପ୍ରକାଶ କରିଛନ୍ତି ।
ଘୋଷଣା ହୋଇଯାଇଛି ବିଜେପୁର ନିର୍ବାଚନ ତାରିଖ । ହାତରେ ଆଉ ମାତ୍ର ମାସେ ସମୟ । କାହାକୁ ମିଳିବ ଟିକେଟ୍ ? ନବୀନ ନିବାସରେ ଟିକେଟ ପାଇଁ ଲବି ଆରମ୍ଭ ହୋଇଯାଇଛି । ପାୱାର କରିଡରରେ ଭିଡ଼ ଜମାଇବା ଆରମ୍ଭ କଲେଣି ନେତା । ବିଜେପୁର ପାଇଁ ରୀତାଙ୍କୁ ପ୍ରାର୍ଥୀ କରାଯିବ ବୋଲି କଳ୍ପନାଜଳ୍ପନା ହେଉଥିବା ବେଳେ ବରଗଡ଼ ପୂର୍ବତନ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏବେ ନବୀନଙ୍କ ହାତରେ ପ୍ରଭାସଙ୍କ ଭାଗ୍ୟ । ଗତ ନିର୍ବାଚନରେ ପ୍ରଭାସଙ୍କୁ ଟିକେଟ ମିଳିନଥିଲା । ଆଉ  ଚଳିତ ଉପନିର୍ବାଚନରେ ଟିକେଟ ମିଳିବ ବୋଲି ଆଶା କରିଛନ୍ତି ।
ଟିକେଟ ମିଳିନଥିଲେ ମଧ୍ୟ ବିଦ୍ରୋହୀ ନସାଜି ଜଣେ ଶୃଙ୍ଖଳିତ କର୍ମୀ ଭାବେ ନିଜର ଦାୟିତ୍ୱ ସମ୍ପୂର୍ଣ୍ଣ କରିଥିଲେ । ଦଳପତିଙ୍କ ନିଷ୍ପତିଙ୍କୁ ସମ୍ମାନ ଜଣାଇ ଦଳ ପାଇଁ ପ୍ରଚାର କରିଥିଲେ । ହେଲେ ବିଜେପୁର ନିର୍ବାଚନ ତାରିଖ ଘୋଷଣା ହେବାପରେ ଟିକେଟ ଆଶାୟୀ ବୋଲି ପ୍ରକାଶ କରିଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ପ୍ରାର୍ଥୀ ଘୋଷଣା ହେବାର ସମ୍ଭାବନା ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପୁର ଟିକେଟ ସମ୍ପର୍କରେ ଅବଗତ କରାଯାଇଛନ୍ତି ପ୍ରଭାସ ସିଂ । ତେବେ ଏସବୁ ଉର୍ଦ୍ଧ୍ୱରେ ଯାଇ ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ, ତାହା ଶିରୋଧାର୍ଯ୍ୟ ବୋଲି ସେ କହିଛନ୍ତି ।
ନିର୍ବାଚନ ପାଖେଇ ଆସୁଥିବା ବେଳେ କିଏ ଟିକେଟ ପାଇବ କାହାର କଟିବ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ଏ ମାସ ଶେଷ ସୁଦ୍ଧା ଜଣାପଡ଼ିଯିବ କାହାକୁ ମିଳିଲା ବିଜେପୁର ଟିକେଟ୍ । ଆଶାୟୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଦଳପତି । ତେବେ ବିଜେଡ଼ି ପାଇଁ ଚଳିତ ଉପନିର୍ବାଚନ ଗୁରୁତ୍ୱ ବହନ କରୁଥିବାରୁ ଜଣେ ଦକ୍ଷ ନେତାଙ୍କୁ ବିଜେପୁର ବାସୀଙ୍କ ଦାୟିତ୍ୱ ନ୍ୟସ୍ତ କରାଯିବ ବୋଲି ଆକଳନ କରାଯାଉଛି ।