କନକ ବ୍ୟୁରୋ : କାଳ ହେଲା କ୍ୱାକ୍ ଚିକିତ୍ସା । ଭଦ୍ରକ ଜିଲ୍ଲା ତୋଟାପଡ଼ା ଗ୍ରାମପଞ୍ଚାୟତର ଘଣ୍ଟେଶ୍ୱରୀ ଗ୍ରାମରେ ଜଣେ କ୍ୱାକ୍ଙ୍କ ଠାରୁ ଇଞ୍ଜେକ୍ସନ୍ ନେଇ ଜଣେ ସପ୍ତମ ଶ୍ରେଣୀର ଛାତ୍ର ଶୁକ୍ରବାର ସକାଳେ ମୃତ୍ୟୁ ବରଣ କରିଛନ୍ତି । ଭୁଲ୍ ଚିକିତ୍ସା ଯୋଗୁଁ ପିଲାର ମୃତ୍ୟୁ ଘଟିଛି ବୋଲି ଅଭିଯୋଗ କରି ଘଣ୍ଟେଶ୍ୱର ଫାଣ୍ଡି ଆଗରେ ତା’ର ଶବ ଥିବା ମହାପ୍ରାୟାଣ ଗାଡ଼ି ରଖି ପରିବାର ଲୋକେ ଘେରାଉ କରିଛନ୍ତି ।
ମୃତ ଛାତ୍ର ହେଉଛନ୍ତି ଶୁଭଦିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଓ ଘଣ୍ଟେଶ୍ୱରୀ ଗାଁର ଗଙ୍ଗାଧର ବାରିକଙ୍କ ୧୨ ବର୍ଷିୟ ସୁରେଶ । ସୁରେଶଙ୍କୁ ଜ୍ୱର ହେବାରୁ ତାଙ୍କ ଭାଇ ଗତ ସନ୍ଧ୍ୟାରେ ତାଙ୍କୁ ନେଇ ମା’ ତାରିଣୀ ଔଷଧ ଦୋକାନର ମାଲିକ ତଥା କ୍ୱାକ୍ ମଦନ ମୋହନ କର ଖୋଲିଥିବା କ୍ଲିନିକ୍ରେ ଦେଖାଇଥିଲେ । ମଦନମୋହନ ତାଙ୍କୁ ଗୋଟାଏ ଇଞ୍ଜେକ୍ସନ୍ ଦେଇଥିଲେ ।
କିନ୍ତୁ, ଇଞ୍ଜେକ୍ସନ୍ ପ୍ରଭାବରେ ତାଙ୍କର ଦେହ ଅଧିକ ବିଗିଡ଼ି ଗଲା ବୋଲି ଜାଣି ପରିବାର ଲୋକେ ତୁରନ୍ତ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଥାଇ ଆଜି ସକାଳୁ ସୁରେଶଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ଇଞ୍ଜେକ୍ସନ୍ ଦେଇଥିବା କ୍ୱାକ୍ଜଣକ ଫେରାର ହୋଇଯାଇଥିବା ଜଣାପଡ଼ିଛି।