ଇରାନର ହୀରୋ ‘କାସିମ ସୁଲେମାନି’ : ଦେଶ ବାହାରେ ନିଜ ଦେଶର ପ୍ରଭାବ ବୃଦ୍ଧି କରିବା ସହ ଶତ୍ରୁକୁ ମାତ୍ ଦେବାରେ ସିଦ୍ଧହସ୍ତ ଥିଲେ ‘କୁଦସ ଫୋର୍ସ’ର କମାଣ୍ଡର

482

କନକ ବ୍ୟୁରୋ : ଇରାନ୍ ହୀରୋ ଜେନେରାଲ କାସିମ ସୁଲେମାନି । ଶତ୍ରୁକୁ ମାତ୍ ଦେବାରେ ସିଦ୍ଧହସ୍ତ ଥିଲେ ‘କୁଦ୍ସ୍ ଫୋର୍ସ’ର କମାଣ୍ଡର କାସିମ ସୁଲେମାନି । ତାଙ୍କ ମୃତ୍ୟୁ ପରେ ଇରାନରେ ତିନି ଦିନିଆ ରାଷ୍ଟ୍ରିୟ ଶୋକ ଘୋଷଣା କରାଯାଇଛି । ମେଜର ଜେନେରାଲ କାସିମ ସୁଲେମାନି ଇରାନ ସେନାର ‘କୁଦସ ଫୋର୍ସ’ର କମାଣ୍ଡର । ୧୯୫୭ରେ ଜନ୍ମଗ୍ରହଣ କରିଥିବା ସୁଲେମାନି ୧୯୭୯ରେ ଇରାନ ସେନାରେ ଯୋଗଦେଇଥିଲେ । ଏହି ଫୋର୍ସ ଇରାନ ବାହାରେ ଇରାନର ପ୍ରଭାବ ବୃଦ୍ଧି ଓ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିଥାଏ ।

ସୁଲେମାନିଙ୍କ ନେତୃତ୍ୱରେ ‘କୁଦ୍ସ୍ ଫୋର୍ସ ଅଧିକ ଶକ୍ତିଶାଳୀ ହୋଇଥିଲା । ମଧ୍ୟପ୍ରାଚ୍ୟରେ ଆମେରିକାର ପ୍ରଭାବ ହ୍ରାସ ଓ ଇରାନର ପତିଆରା ବୃଦ୍ଧି ଦିଗରେ ଏହି ବାହିନୀ କାମ କରିଥାଏ । କେବଳ ଏତିକି ନୁହେଁ ବର୍ତ୍ତମାନ ଇରାନ ମୁଖ୍ୟ ସୈନ୍ୟବାହିନୀ ଠାରୁ କୁଦ୍ସ୍ ଫୋର୍ସ ଅଧିକ ଶକ୍ତିଶାଳୀ । ଇରାନର ଶତ୍ରୁ ତଥା ଆମେରିକାର ମିତ୍ର ସାଉଦି ଆରବ ଓ ଇସ୍ରାଏଲର ପ୍ରଭାବ ହ୍ରାସ ଓ ସେମାନଙ୍କ ବିରୁଦ୍ଧରେ ଏହି ବାହିନୀ କାମ କରୁଥିଲା । ଏହି କାରଣରୁ ସୁଲେମାନି ବିଗତ ଅନେକ ବର୍ଷ ହେଲା ସିଆଇଏର ଟାର୍ଗେଟରେ ରହିଆସିଥିଲେ ଏବଂ ଇରାନୀଙ୍କ ପାଇଁ ହୀରୋ ସାଜିଥିଲେ ।

ଇସଲାମିକ ଷ୍ଟେଟ ପରି ସଙ୍ଗଠନ ସୃଷ୍ଟି କରି ସେମାନଙ୍କ ଜରିଆରେ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ସୃଷ୍ଟି କରିବାକୁ ଆମେରିକା ଯେଉଁ ଉଦ୍ୟମ କରୁଥିଲା, ତାହାକୁ ସେ ପଣ୍ଡ କରିଥିଲେ । ସିରିୟାରେ ଅଲକାଏଦା ଏବଂ ଇସଲାମିକ ଷ୍ଟେଟକୁ ନିର୍ମୁଳ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ସେ ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟୋତୋଲ୍ଲା ଅଲ୍ଲୀ ଖାମିନେଇଙ୍କୁ ସିଧାସଳଖ ରିପୋର୍ଟ କରୁଥିଲେ । ଅର୍ଥାତ୍ ସେ କେବଳ ଖାମିନେଇଙ୍କ ନିର୍ଦ୍ଦେଶ ପାଳନ କରୁଥିଲେ । ତେଣୁ ଖାମିନେଇଙ୍କ ପରେ ତାଙ୍କୁ ଇରାନର ଦ୍ବିତୀୟ ପ୍ରଭାବଶାଳୀ ବ୍ୟକ୍ତି ଭାବେ ବିବେଚନା କରାଯାଉଥିଲା ।

୧୯୭୯ରେ ଇରାନ କ୍ରାନ୍ତି ସମୟରେ ୬ ସପ୍ତାହର ତାଲିମ ନେଇ ଅଜରବୈଜାନ ପ୍ରାନ୍ତରେ ପ୍ରଥମ ଥର ପାଇଁ ଲଢେଇ କରିଥିଲା ସୁଲେମାନି । ଇରାନ-ଇରାକ ଯୁଦ୍ଧ ପରେ ସୁଲେମାନିକୁ ରାଷ୍ଟ୍ରୀୟ ହିରୋର ମର୍ଯ୍ୟାଦା ମିଳିଥିଲା । ୨୦୧୯ରେ ସୁଲେମାନିକୁ ଦେଶର ସର୍ବୋଚ୍ଚ ସୈନ୍ୟ ସମ୍ମାନରେ ସମ୍ମାନିତ କରିଥିଲେ ଖମନେଇ । ଏହାପରେ ତାର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ବିଷୟରେ ସାରା ବିଶ୍ୱ ଜାଣିଲା । ଆମେରିକା ଗତବର୍ଷ କୁଦସ ଫୋର୍ସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା । ଏପରିକି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୂର୍ବରୁ ଧମକ ମଧ୍ୟ ଦେଇଥିଲେ ଜେନେରାଲ ସୁଲେମାନି ।

ମଧ୍ୟପ୍ରାଚ୍ୟରେ ତୋଫାନ୍ ଆଣିଛି ସୁଲେମାନିଙ୍କ ମୃତ୍ୟୁ । ଆମେରିକା ଦ୍ୱାରା ଇରାନର ସେନା କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନିଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟ ଓ ସମଗ୍ର ବିଶ୍ୱରେ ଯୁଦ୍ଧର କଳାବାଦଲ ଦେଖାଦେଇଛି । କାସିମ୍ ସୁଲେମାନିଙ୍କ ମୃତ୍ୟୁ ପରେ ଆମେରିକା ଓ ଇରାନ୍ ମଧ୍ୟରେ ଏକପ ପ୍ରକାର ଯୁଦ୍ଧ ଆରମ୍ଭ ହୋଇଯାଇଛି କହିଲେ ଚଳେ । ଇରାନର ସୁପ୍ରିମ୍ ନେତା ଆୟୋତୋଲ୍ଲା ଅଲ୍ଲୀ ଖାମିନେଇ, ସୁଲେମାନିଙ୍କ ମୃତ୍ୟ ପାଇଁ ଦାୟୀ ଲୋକଙ୍କ ଠାରୁ ପ୍ରତିଶୋଧ ନିଆଯିବ ବୋଲି ଘୋଷଣା କରିଦେଇଛନ୍ତି ।