କରୋନା ପାଇଁ ପୁରୀ ଖାଁ ଖାଁ : ଶ୍ରୀମନ୍ଦିରରେ ନାହିଁ ଭକ୍ତଙ୍କ ଗହଳି . . ସମୁଦ୍ର ବେଳାଭୂମିରେ ୧୪୪ ଧାରା, ପୋଲିସର ଘନଘନ ପାଟ୍ରୋଲିଂ

233

କନକ ବ୍ୟୁରୋ : କରୋନା ପାଇଁ ରାଜ୍ୟରେ ହୋଟେଲ ଓ ପର୍ଯ୍ୟର୍ଟନ ଶିଳ୍ପ ପ୍ରଭାବିତ ହୋଇଛି । ପୁରୀ ଖାଁ ଖାଁ ହୋଇଯାଇଛି । ଶ୍ରୀମନ୍ଦିରକୁ ଅଳ୍ପ ସଂଖ୍ୟକ ଭକ୍ତ ପ୍ରବେଶ କରୁଛନ୍ତି । ଉପଯୁକ୍ତ ଯାଂଚ କରାଯାଇ ଭକ୍ତଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି । କିନ୍ତୁ ଏ ଯାଏଁ ଘୋଷଣାପତ୍ର ଲାଗୁ ହୋଇନାହିଁ । ପ୍ରଶାସନର କଟକଣା ଯୋଗୁଁ ପର୍ଯ୍ୟଟକଙ୍କ ଗହଳି କମିଯାଇଛି । ବେଳାଭୂମି ଅଂଚଳରେ ୧୪୪ ଧାରା ଜାରି କରାଯାଇଛିା ପୋଲିସ ପାଟ୍ରୋଲିଂକୁ ବି ବଢାଇଦିଆଯାଇଛି ।

ସେପଟେ କରୋନା ପାଇଁ ପୁରୀ ଯାଉଥିବା ପର୍ଯ୍ୟଟକଙ୍କ ଉପରେ କଟକଣା । ରାତିରେ ବି ପିପିଲି ଟୋଲଗେଟରେ ଚାଲିଲା ଚେକିଂ । ରାତି ଅଧରେ ବସକୁ ଅଟକାଇ ତନ୍ନ ତନ୍ନ କରି ଯାଂଚ କରୁଥିବା ଦେଖିବାକୁ ମିଳିଛି । ପରିବହନ କର୍ମଚାରୀ , ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ପୁରୀ ପ୍ରବେଶ ପଥ ପିପିଲି ଟୋଲ୍ ଗେଟରେ ଯାଂଚ କରୁଛନ୍ତି । ଏପରିକି କେତେକ ଗାଡି ଓ ଗାଡିରେ ଥିବା ପର୍ଯ୍ୟଟକ ମାନଙ୍କୁ ପିପିଲି ଟୋଲ ଗେଟ୍ ନିକଟରୁ ଫେରାଇ ଦିଆଯାଉଛି । ଆସନ୍ତା ୩୧ ତାରିଖ ଯାଏଁ ଏପରି ଯାଂଚ ଜାରି ରହିବ । କରୋନାକୁ ନିୟନ୍ତ୍ରଣରେ ରଖିବା ପାଇଁ ପୁରୀ ଆସୁଥିବା ସମସ୍ତ ଗାଡିକୁ ପିପିଲି ଟୋଲଗେଟରେ ଯାଂଚ କରାଯାଉଛି ।