ଶ୍ରୀମନ୍ଦିରରେ ଆଜି ବି ବାହାରି ପାରିଲାନି ଅବଢା, ହଜାର ହଜାର ଭକ୍ତ ନିରାଶ ! ଏପଟେ ବିଧାନସଭାରେ ସରକାର କହିଲେ, ଠାକୁର ଉପାସରେ ରହିବା ଖବର ମିଛ

45

କନକ ବ୍ୟୁରୋ : ଆଜିକୁ ତିନି ଦିନ ହେଲା ବାହାରିନି ବରାଦି ମହାପ୍ରସାଦ । ଫଳରେ ହଜାର ହଜାର ଭକ୍ତଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅସନ୍ତୋଷ । ତେବେ ଆଜି କୋଠଭୋଗ ମହାପ୍ରସାଦକୁ କିଛି ଭକ୍ତଙ୍କୁ ବାଂଟିଛନ୍ତି ସେବାୟତ ।

ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ମହାପ୍ରସାଦ ବାଂଟିଛନ୍ତି ସେବାୟତ । ଆଜି ସକାଳଧୂପ ପରେ ଶ୍ରୀଜୀଉଙ୍କ ନିକଟରେ ହୋଇଥିବା କୋଠଭୋଗ ମହାପ୍ରସାଦକୁ ଭକ୍ତମାନଙ୍କ ମଧ୍ୟରେ ବଂଟାଯାଇଛି । ଦୁଇ ଦିନ ଧରି ହଜାର ହଜାର ଭକ୍ତଂକୁ ମହାପ୍ରସାଦରୁ ବଂଚିତ କରିଯାଇଥିବା ବେଳେ ଆଜି କିଛି ଭକ୍ତଙ୍କୁ କୋଠଭୋଗ ଖୁଆଇଛନ୍ତି । କିନ୍ତୁ ବାସ୍ତବତା ହେଉଛି ଆଜି ମଧ୍ୟ ଭକ୍ତଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହୋଇନାହିଁ । ଶ୍ରୀମନ୍ଦିର ପ୍ରଶାସନ ସହ ଚାଲିଥିବା ବିବାଦର ସମାଧାନ ହୋଇନଥିବାରୁ ଅବଢ଼ା ପ୍ରସ୍ତୁତ କରିବାକୁ ମନା କରି ଦେଇଛନ୍ତି ସୁଆର ମହାସୁଆର ।

ନୀତି ଶୃଙ୍ଖଳିତ କରିବା ଦାବିରେ ଅଟଳ ରହିଛି ସୁଆର ଓ ମହାସୁଆର ନିଯୋଗ । ସେପଟେ ବରାଦୀ ମହାପ୍ରସାଦ ନପାଇବାରୁ ଭକ୍ତଙ୍କ ମଧ୍ୟରେ ବୃଦ୍ଧି ପାଉଛି ଅସନ୍ତୋଷ । ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଦୁଇ ଦିନ ଧରି ଶ୍ରୀମନ୍ଦିର ନୀତିରେ ମହାବିଭ୍ରାଟ ଘଟିଥିଲା । ବହୁ ବାଦବିବାଦ ପରେ ଆଜି ତୃତୀୟ ଦିନରେ ଶୃଙ୍ଖଳିତ ହୋଇଛି ଶ୍ରୀମନ୍ଦିରର ନୀତିକାନ୍ତି । ହେଲେ ତିନି ଦିନ ହେଲା ଭକ୍ତଙ୍କୁ ମିଳିପାରୁନାହିଁ ମହାପ୍ରସାଦ ।

ପ୍ରତିଦିନ ପ୍ରାୟ ୧୫ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆନନ୍ଦବଜାରରେ ଅବଢ଼ା ଖାଇଥାନ୍ତି । ସେହିପରି ରାଜ୍ୟର ହଜାର ହଜାର ଲୋକଙ୍କ ପାଇଁ ପ୍ରତିଦିନ ମହାପ୍ରସାଦ ବରାଦ ହୋଇଥାଏ । ସେଥିପାଇଁ ସୁଆର ମହାସୁଆରମାନେ ବରାଦୀ ଅବଢ଼ା ପ୍ରସ୍ତୁତ କରିଥାନ୍ତି । ଦୁଇ ଦିନ ତଳେ ନୀତି ବିଳମ୍ବ ଯୋଗୁଁ ନଷ୍ଟ ହୋଇଥିବା ଅମୁଣିଆ ମହାପ୍ରସାଦ ପାଇଁ କ୍ଷତିପୂରଣ ଏବଂ ନୀତି ଶୃଙ୍ଖଳିତ କରିବା ଦାବିରେ ଅଡି ବସିଛନ୍ତି ସୁଆର ମହାସୁଆର ନିଯୋଗ ।

ଗତକାଲି ରାତିରେ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ପରିଚାଳନା କମିଟି ବୈଠକ । ଏଥିରେ ନୀତି ଶୃଙ୍ଖଳିତ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । ନୀତି ଶୃଙ୍ଖଳିତ କରିବା ପାଇଁ ସେବାୟତମାନଙ୍କ ସହ ଆଲୋଚନା ହୋଇଥିଲା । ହାଇକୋର୍ଟ ଜଗମୋହନ ଖୋଲିବା ପାଇଁ ନିର୍ଦ୍ଦେଶ ଦେବା ସହ ଗର୍ଭଗୃହରେ କେବଳ ପାଳିଆ ସେବାୟତ ଯାଇପାରିବେ ବୋଲି ରାୟ ଦେଇଥିଲେ । ଏବଂ ଏହି ଘଟଣାରୁ ବିବାଦ ଆରମ୍ଭ ହୋଇଥିଲା । ଆଜି ନୀତିକାନ୍ତି ଶୃଙ୍ଖଳିତ ହୋଇଥିବା ବେଳେ ମହାପ୍ରସାଦ ପ୍ରସ୍ତୁତିକୁ ବିବାଦ ଲାଗି ରହିଛି । ଆସନ୍ତାକାଲି ମଧ୍ୟ ଅବଢ଼ା ମିଳିବ କି ନାହିଁ ତାକୁ ନେଇ ସଂଦେହ ରହିଛି ।

ସେପଟେ ବିଧାନସଭାରେ ଶ୍ରୀମନ୍ଦିର ବିଶୃଙ୍ଖଳାକୁ ନେଇ ସରକାର ବିବୃତି ରଖିଛନ୍ତି । ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଠାକୁର ଉପବାସ ରହିବା ଖବର ମିଛ, କିନ୍ତୁ ନୀତିକାନ୍ତିରେ ବିଳମ୍ବ ହୋଇଛି । ଦୁଇ ଦିନ ଧରି ବିଧାନସଭାରେ ଶ୍ରୀମନ୍ଦିର ନୀତିକୁ ନେଇ ବିଭ୍ରାଟ ଘଟଣାରେ ହଟ୍ଟଗୋଳ ସୃଷ୍ଟି ହୋଇଥିବା ବେଳେ ଆଜି ଏହାର ଉତର ରଖି ଆଇନମନ୍ତ୍ରୀ କହିଛନ୍ତି, ସୂପକାର ଅସହଯୋଗ କରୁଥିବାରୁ ବରାଦି ମହାପ୍ରସାଦ ବାହାରି ପାରୁନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗତ ୧୬ ତାରିଖରେ ଜଗମୋହନ ଖୋଲାହେବା ଦିନ ନୀତିକାନ୍ତିରେ ବିଳମ୍ବ ଘଟିଥିଲା । ପରଦିନ ରୋଷ ଘରେ ପ୍ରାୟ ୭-୮ ଟ୍ରକ ଅମୁଣିଆ ମହାପ୍ରସାଦ ପୋତା ହେବା, ରୋଷ ଘର ଧୁଆ ହେବାରୁ ନୀତି ବିଳମ୍ବ ହୋଇଥିଲା ବୋଲି କହିଛନ୍ତି ପ୍ରତାପ ଜେନା । ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ କଂଗ୍ରେସ ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ଏ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଆଇନମନ୍ତ୍ରୀଙ୍କୁ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି ।