ସରକାରଙ୍କ ସହଯୋଗରେ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି କରୁଛନ୍ତି ଧୂପକାଠି : ଭଲ ଆୟ କରିବା ସହ ଘର ଚଳାଇବାକୁ ସକ୍ଷମ ହେଲେ ମହିଳା

47

କନକ ବ୍ୟୁରୋ : ଦିନଥିଲା ପରିବାରର ଭରଣପୋଷଣ ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡୁଥିଲା । କିନ୍ତୁ ନିଜେ ସ୍ୱାବଲମ୍ବୀ ହେବା ସହ ଏବେ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିଛନ୍ତି କିଛି ମହିଳା । ସେମାନେ ଗଢିଛନ୍ତି ଜୟ ଦୁର୍ଗା ମହିଳା ସମିତି ଆଉ ଅନ୍ୟଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ପୁରୀ ଜିଲ୍ଲା ସତ୍ୟବାଦୀର ବଳପୁର ଗାଁ । ଦିନେ ଆର୍ଥିକ ଅଭାବ ଅନଟନରେ ଚଳୁଥିବା ପରିବାର ଆଜି ସ୍ୱାବଲମ୍ବୀ ଆଉ ତାହା ବି ମହିଳାଙ୍କ ପାଇଁ । କିଛି ମହିଳା ଏକଜୁଟ ହୋଇ ପ୍ରତ୍ୟେକ ସଦସ୍ୟ ପିଛା ୨୦ଟଙ୍କା ଲେଖାଏଁ ଜମା କରି ଆରମ୍ଭ କରିଥିଲେ ଜୟ ଦୁର୍ଗା ମହିଳା ସମିତି । ମାତ୍ର ୩ଶହ ଟଙ୍କାରେ ଏହି ସମିତି ଆରମ୍ଭ କରି ମହିଳାମାନେ ଏବେ ଭଲରେ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।

ଏହି ମହିଳାଙ୍କୁ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ସରକାର ମଧ୍ୟ ସହେଯାଗର ହାତ ବଢାଇଛନ୍ତି । ସରକାରଙ୍କ ତରଫରୁ ମାଗଣାରେ ଧୂପକାଠି ମେସିନ୍ ଓ ଘର ଯୋଗାଇ ଦିଆଯାଇଛି । ଏବେ ୧୫ଟି ସ୍ୱଂୟ ସହାୟକ ଗୋଷ୍ଠୀ ଏକତ୍ରୀତ ହୋଇ କ୍ଲଷ୍ଟର କରି କାର୍ଯ୍ୟ କରୁଥିବା ବେଳେ ଏହି ସମିତିକୁ ଆଦର୍ଶ ମହିଳା ସମିତିଭାବେ ଗଢିବାକୁ ସରକାରୀ ସ୍ତରରେ ସମସ୍ତ ସାହାଯ୍ୟ ଯୋଗାଇଦିଆଯାଉଥିବା ସତ୍ୟବାଦୀ ସିଡିପିଓ କହିଛନ୍ତି । ସତ୍ୟବାଦୀର ଏହି ମହିଳାମାନେ ଏବେ ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।