କନକ ବ୍ୟୁରୋ : ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ସୁରୁଖୁରରେ ଶେଷ କରିବା ପାଇଁ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି । ଶାନ୍ତିଶୃଙ୍ଖଳାର ସହ ଭକ୍ତମାନେ କିଭଳି ମହାପ୍ରଭୁଙ୍କ ଦର୍ଶନ କରି ଫେରିବେ ସେ ଦିଗକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି । ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ପୁରୀ ଜିଲ୍ଲା ପ୍ରଶାସନ । ରଥଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ, ଆଇନଶୃଙ୍ଖଳା, ସ୍ବାସ୍ଥ୍ୟକର ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଶୌଚ ଆଦି କାର୍ଯ୍ୟର ଦାୟିତ୍ବ ବାଣ୍ଟିଛି ପ୍ରଶାସନ ।
ପୁରୀ ସ୍ବତନ୍ତ୍ର ସର୍କିଟ୍ ହାଉସଠାରେ ଗତକାଲି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଜିଲ୍ଲାପାଳ ବଲୱନ୍ତ ସିଂ କହିଥିଲେ, ବାତ୍ୟାରେ ପୁରୀ ସହର ଓ ସହରତଳି ଅଞ୍ଚଳରେ ଲାଗିଥିବା ୭ ହଜାର ୫୦୦ ଷ୍ଟ୍ରିଟ୍ ଲାଇଟ୍ରୁ ୫ ହଜାର ୫୦୦ ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇ ଯାଇଥିଲା । ଏସବୁର ମରାମତି କାମ ଶେଷ ହୋଇଛି । ସେହିପରି ଅଚଳ ହାଇମାଷ୍ଟ ଲାଇଟ୍ର ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସହର ଭିତରେ ୫୦୦ଟି ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ଏହାର ପରିଚାଳନା ଦାୟିତ୍ବ ନେଇଛି । ଏହା ଛଡ଼ା ୫ ୟୁନିଟ୍ ଭ୍ରାମ୍ୟମାଣ (ମୋବାଇଲ୍) ଶୌଚାଳୟ ବ୍ୟବସ୍ଥା କରାଯାଇଛି ।
ସଫେଇ କାମ ପାଇଁ ୫୦୦ କର୍ମଚାରୀ ମୁତୟନ ହୋଇଛନ୍ତି । ପିଇବା ପାଣି ପାଇଁ ୩୨ଟି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି । ବିଜୁଳି, ଡ୍ରେନ୍ ତଥ୍ୟ ଅନ୍ୟାନ୍ୟ କାର୍ଯ୍ୟ ତଦାରଖ ପାଇଁ ୨ ହଜାର ସରକାରୀ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ଏହି କର୍ମଚାରୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଡ୍ରେସ୍କୋଡ୍ କରାଯାଇଛି । ଯାହାଦ୍ବାରା କୌଣସି ସାହାଯ୍ୟ ସହଯୋଗ ଆବଶ୍ୟକ କରୁଥିବା ଭକ୍ତମାନେ ସହଜରେ ଏହି କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କଠାରୁ ସହଯୋଗ ନେଇପାରିବେ ।
ଆଇନୃଶଙ୍ଖଳା ସମ୍ପର୍କରେ ସୂଚନା ଦେଇ ଏସ୍ପି ଉମାଶଙ୍କର ଦାଶ କହିଥିଲେ, ଚଳିତ ବର୍ଷ ରଥଯାତ୍ରା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଭିତର ଶୃଙ୍ଖଳା ଦାୟିତ୍ବ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦିଆଯାଇଛି । ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ଆଇଜି ଅସିତ୍ ପାଣିଗ୍ରାହୀ, ରଥ କର୍ଡନ ପାଇଁ ଅରୁଣ ବୋଥ୍ରା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଅମିତାଭ ଠାକୁର ରହିବେ । ୧୫୫ ପ୍ଲାଟୁନ୍ ଫୋର୍ସ ଓ ପୁଲିସ ଅଧିକାରୀଙ୍କୁ ମିଶାଇ ଏଥର ୧୦ ହଜାର ପୁଲିସ ରଥଯାତ୍ରାରେ ମୁତୟନ ହେବେ। ଟ୍ରାଫିକ୍ ବ୍ୟବସ୍ଥା ପୂର୍ବ ବର୍ଷ ଭଳି ରହିଛି ।
ରାଜ୍ୟ ବାହାର ବସ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବାର ବ୍ୟବସ୍ଥା କରାଯାଇଛି । ରେଗୁଲାର ବସ ତାଳବଣିଆଠାରେ ପାର୍କିଂ କରିବେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ପୁରୁଣା ଜେଲଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ବ୍ରହ୍ମଗିରି ପଟୁ ଆସୁଥିବା ଭକ୍ତଙ୍କ ପାଇଁ ମଶାଣି ଚଣ୍ଡୀ ଓ ଫ୍ଲୋରିସ୍ ଇଣ୍ଡିଆଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଦୁଇଚକିଆ ଗାଡ଼ି ମଶାଣି ଚଣ୍ଡୀ ଓ ଚାରିଚକିଆ ଫ୍ଲୋରିସ୍ ଇଣ୍ଡିଆଠାରେ ପାର୍କିଂ କରିବେ ।
କୋଣାର୍କ ପଟୁ ଆସୁଥିବା ଭକ୍ତଙ୍କ ପାଇଁ ତାଳବଣିଆଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବର ଆଡ଼ୁ ଆସୁଥିବା ଭକ୍ତଙ୍କ ପାଇଁ ବି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚାରିଚକିଆ ଗାଡ଼ି ତାଳବଣିଆ ଓ ଦୁଇଚକିଆ ଗାଡ଼ି ପୁରୁଣା ଜେଲଠାରେ ପାର୍କିଂ କରିବେ। ପୁରୁଣା ଜେଲଠାରେ ପାର୍କିଂ ହୋଇଥିବା ଗାଡ଼ି ଅଠରନଳା ଦେଇ ଫେରିବାର ବ୍ୟବସ୍ଥା କରାଯାଇଛି ।