ଦ୍ୱିତୀୟ ଦିନରେ ଆଗେଇ ଚାଲିଛି ରଥ ନିର୍ମାଣ । ବ୍ୟାରିକେଟ୍ ଓ କପଡା ଢାଙ୍କି କାମ କରୁଛନ୍ତି ମହାରଣା ସେବାୟତ । ରଥଖଳା ଠାରୁ ୨୦୦ ମିଟର ଯାଏଁ ନିଷେଧାଞ୍ଚଳ

235

କନକ ବ୍ୟୁରୋ : ଅନେକ ବାଦବିବାଦ ପରେ ଶେଷରେ ବିଶ୍ବନିୟନ୍ତାଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ପ୍ରାରମ୍ଭିକ ପର୍ବ ଆରମ୍ଭ ହୋଇଛି । ଦ୍ୱିତୀୟ ଦିନରେ ଚାଲିଛି ରଥ ନିର୍ମାଣ । ଚଳଚଂଚଳ ହୋଇପଡ଼ିଛି ରଥଖଳା । ରଥ ଖଳାକୁ ବ୍ୟାରିକେଟ୍ ଓ କପଡାରେ ଆବଧ କରି ରଥ କାମ କରୁଛନ୍ତି ମହାରଣା ସେବାୟତ । ରଥଖଳାରୁ ୨୦୦ ମିଟର ପର୍ଯ୍ୟନ୍ତ ନିଷେଧାଂଚଳ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଅଫିସ ସମ୍ମୁଖରେ ଥିବା ଦୋଳବେଦି କୋଣ ସାହି, ଦୋଳ ମଣ୍ଡପ ସାହି ରାସ୍ତାକୁ ବ୍ଲକ କରାଯାଇଛି । ରଥଖଳାରୁ ଗୃହ ମନ୍ତ୍ରାଳୟର ସର୍ତ ଅନୁସାରେ ସାମାଜିକ ଦୂରତାକୁ ପାଳନ କରି ମହାରଣା ସେବାୟତ ମାନେ ରଥ ନିର୍ମାଣ କାର୍ଯ୍ୟ କରୁଛନ୍ତି । ରଥ ଖଳାରେ ମହାରଣା ଓ ଭୋଇ ସେବାୟତଙ୍କୁ ସଚେତନ କରାଯାଇଛି । କରୋନା ପାଇଁ ରହିଥିବା କଟକଣାକୁ ମାନି ମହାରଣା ସେବକ, ଓଝା ସେବକ, ଭୋଇ ସେବକମାନେ ଏହି ସବୁ କାମକୁ ଆଗେଇ ନେଇଛନ୍ତି । ଦିନରାତି କାମ କରି ରଥ ନିର୍ମାଣ କାର୍ଯ୍ୟ ‌ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ସରିଥିଲେ ବି କରୋନା କଟକଣା ପାଇଁ ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟକୁ ଝୁଲାଇ ରଖିଥିଲେ । ଫଳରେ ଗତ ୧୨ ଦିନ ହେବ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା । ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ ହୋଇପାରିନଥିଲା ।  କେନ୍ଦ୍ର ସରକାରଙ୍କ ଅନୁମତି ପରେ ଜିଲ୍ଲାପାଳ ବିଶ୍ବକର୍ମା ଓ ଅନ୍ୟ ସେବକଙ୍କ ଜରୁରୀ ବୈଠକ ଡାକି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ସଂପର୍କରେ ଆଲୋଚନା କରିଥିଲେ । ଆଲୋଚନା ପରେ ସମସ୍ତ ସେବକ ମାସ୍କ ପିନ୍ଧି କାମ ଆରମ୍ଭ କରିଛନ୍ତି । ସାନିଟାଇଜରର ବ୍ୟବହାର କରାଯାଉଛି । ରଥଖଳାକୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରାଯିବା ସହ ‌ଚାରିପାର୍ଶ୍ବରେ ଲୁହାର ବାରିକେଡ୍‌ ପକାଇ ପ୍ରବେଶ ବନ୍ଦ କରାଯାଇଛି।