ଖୁବ୍ ଯୋରରେ ଆଗେଇ ଚାଲିଛି ରଥ ନିର୍ମାଣ : ପରମ୍ପରା ଆଧାରରେ ରଥଖଳାରେ ବିଜେ ହେଲା ମହାପ୍ରଭୁଙ୍କ ଆଜ୍ଞାମାଳ ,ପୂଜାପଣ୍ଡାଙ୍କ ପୂଜାର୍ଚ୍ଚନା ପରେ ତିନି ରଥ ଅଖରେ ଲାଗିଲା ୬ଟି ଚକ

309

କନକ ବ୍ୟୁରୋ : ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ । ପରମ୍ପରା ଆଧାରରେ ରଥଖଳାରେ ବିଜେ କରିଛି ମହାପ୍ରଭୁଙ୍କ ଆଜ୍ଞାମାଳ । ଭଉଁରୀ ତିଥିରେ ତିନି ପୂଜାପଣ୍ଡା ସକାଳ ଧୂପ ପରେ ମହାପ୍ରଭୁଙ୍କ ନିକଟରୁ ୩ଟି ଆଜ୍ଞାମାଳ ଆଣି ତିନି ରଥର ଚକ ଅଖ ନିକଟରେ ଲାଗି କରିବା ସହ ମୁଖ୍ୟ ବିଶ୍ୱକର୍ମା ମାନଙ୍କୁ ଶାଢୀ ବନ୍ଧା ଯାଇଛି । ପରେ ତିନି ରଥର ତିନୋଟି ଅଖରେ ମୋଟ୍ ୬ଟି ଚକ ସଂଯୋଗ କରାଯାଇଛି । ଏଥିପାଇଁ ଆବଶ୍ୟକ ଚକ ସବୁ ନିର୍ମାଣ ସରିଛି । ଶିଳ୍ପଶାସ୍ତ୍ର ଓ ରଥ ସଂହିତା ଅନୁସାରେ ତିନି ରଥରେ ଚକ ଅଖ ଡେରା ଏକ ପ୍ରମୁଖ କାମ ।

ଭଭଁରୀ ଓ ରଥ ଚକ ଅଖ ଡେରା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା ହୋଇଛି । ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥରେ ମୋଟ୍ ୪୨ ଟି ଚକ ଲାଗିବ । ଏହା ମଧ୍ୟରେ ବର୍ତମାନ ସୁଦ୍ଧା ୬ଟି ଚକ ନିର୍ମାଣ ଶେଷ ହୋଇସାରିଛି । ଆଉ ୩୬ ଟି ଚକ ତିଆରି ହେବ । ରଥରେ ଚକ ଅଖ ଯୋଡାଯିବା ପରେ ତିନି ରଥର ୪୨ଟି ତୁମ୍ଭରେ ଅର ଯୋଡା ଯିବ । ଆଗକୁ ସ୍ନାନ ପୂର୍ଣ୍ଣମାରେ ତିନି ରଥର ଚାରି ନାହାକା ଟେକା ଯିବାର ପରମ୍ପରା ରହିଛି । ସେପଟେ ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଶେଷ ଦିନ । ଚଳିତ ବର୍ଷ କରୋନା କାରଣରୁ ବାହାର ଚନ୍ଦନ ନୀତି ବି ମନ୍ଦିର ଭିତରେ ସଂପନ୍ନ ହେବ ।