କଟକଣାଯୁକ୍ତ ରଥଯାତ୍ରା ପାଇଁ ବିଚାରବିମର୍ଶ : ସୁପ୍ରିମକୋର୍ଟରେ ଦାଖଲ ହେବ ସତ୍ୟପାଠ

821

କନକ ବ୍ୟୁରୋ : କରୋନା ମହାମାରୀକୁ ନେଇ ବିଶ୍ବ ଏବେ ସଙ୍କଟରେ। ପ୍ରତିଦିନ ଲକ୍ଷାଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଭାରତରେ ମଧ୍ୟ ଏହି ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ଏହି ସଂଖ୍ୟା ୫୦ ଛୁଇଁଲାଣି । ବିଶେଷକରି ପୁରୀର ନିକଟବର୍ତ୍ତୀ ତଥ‌ା ରାଜଧାନୀ ଭୁବନେଶ୍ବରରେ କରୋନା କାୟା ବିସ୍ତାର କରିଛି । କରୋନା ସଂକ୍ରମଣର ଭୟାବହତାକୁ ନଜରରେ ରଖି କେନ୍ଦ୍ର ସରକାର ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି । ଓଡ଼ିଶା ସରକାର ମଧ୍ୟ ଲକ୍‌ଡାଉନ୍ ଅବଧିକୁ ଏପ୍ରିଲ ୩୦ ତାରିଖ ଯ‌ାଏ ଏହା ବଢ଼ାଇ ଦେଇଛନ୍ତି । ପରିସ୍ଥିତିର ଗମ୍ଭୀରତାକୁ ଦେଖି ଏଥର ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ବାତିଲ କରି ଦିଆଯାଇଛି । ‌ଏବେ ସମସ୍ତଙ୍କ ନଜର ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଉପରେ ରହିଛି ।

ଆସନ୍ତା ଜୁନ ୨୩ରେ ପଡ଼ୁଥିବା ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଏବେ ଅନଶ୍ଚିତତା ଦେଖାଦେଇଛି । ଏଭଳି ଘଡ଼ିସନ୍ଧି ସମୟରେ ରଥଯାତ୍ରାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ନା କଟକଣା ଯୁକ୍ତ ରଥଯାତ୍ରା ପାଳନ କରାଯିବ ତାକୁ ନେଇ ଆରମ୍ଭ ‌ହୋଇଛି କଳ୍ପନାଜଳ୍ପନା । ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାର ରଥଯାତ୍ରାକୁ ନେଇ ବିଚାରବିମର୍ଶ ଆରମ୍ଭ କରିଛନ୍ତି । ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏଥର ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତଥା ରାଜ୍ୟ ସରକାର ସୁପ୍ରିମ କୋର୍ଟର ଆଶ୍ରୟ ନେବେ । ସୁପ୍ରିମକୋର୍ଟରେ ଏ ସଂପର୍କରେ ସତ୍ୟପାଠ ଦାଖଲ ପାଇଁ ଯୋଜନା ଆରମ୍ଭ ହୋଇଛି।

ଶ୍ରୀମନ୍ଦିର ପରିଚାଳନା କମିଟି, ଛତିଶାନିଯୋଗ, ଗଜପତି ମହାରାଜ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ମୁକ୍ତିମଣ୍ଡପ ପଣ୍ଡିତ ସଭା ସହିତ ବିଚାର ବିମର୍ଶ କରି ଏ ନେଇ ଏକ ସତ୍ୟପାଠ ଦାଖଲ ପାଇଁ ପ୍ରାରମ୍ଭିକ ଆଲୋଚନା ହୋଇଛି । ତେବେ ଲୋକାଚାରରେ ଓ ସେବକଙ୍କ ମତରେ ଥରେ ରଥଯାତ୍ରା ବନ୍ଦ ହେ‌ଲେ ଏହା ୧୨ ବର୍ଷ ହେବ ନାହିଁ । ତେଣୁ ସରକାର ରଥ ଯାତ୍ରା ବନ୍ଦ କରିବ‌ାକୁ ଚିନ୍ତା କରିବେ ନାହିଁ। ବରଂ କଡ଼ା କଟକଣା ଭିତରେ ରଥଯାତ୍ରା ଆୟୋଜନ କରାଯିବ। ତେବେ ବିଶ୍ବନିୟନ୍ତାଙ୍କ ଏ ରଥଯାତ୍ରା କିଭଳି କଟକଣା ଭିତରେ ସମ୍ଭବ ହେବ ତାକୁ ନେଇ ଆଲୋଚନା କରାଯାଉଛି।

ଆସନ୍ତା ଏପ୍ରିଲ ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟାରୁ ରଥଯାତ୍ରାର ଆଦିପର୍ବ ଆରମ୍ଭ ହେବ। ସେ ଦିନ ରଥକାମ ଅନୁକୂଳ ହୋଇଥାଏ । ସେହି ଦିନଠାରୁ ରଥ କାମ ଆରମ୍ଭ ହେବା ସହିତ ଚନ୍ଦନଯାତ୍ରା ଆରମ୍ଭ ହୋଇଥାଏ। ତେବେ ଲକ୍‌ଡାଉନ ଅବଧି ବଢ଼ିବା ପରେ ଏବେ ମହାପ୍ରଭୁ ବିନ‌ା ଭକ୍ତରେ ଚାପ ଖେଳିବେ । ସେ ପଟେ ରଥ ନିର୍ମାଣ ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ଆବଶ୍ୟକ ରଥ କାଠ ପର୍ୟ୍ୟା‌ୟ କ୍ରମେ ପୁରୀରେ ପହଞ୍ଚୁଛି । ଏପ୍ରିଲ ୨୬ ତାରିଖ ରଥ ଅନୁକୂଳ ନୀତି ନିରାଡ଼ମ୍ବରରେ ପାଳିତ ହେବ । ତେବେ କରୋନା ସ୍ଥିତି ଆଶାଜନକ ଭାବେ ନିୟନ୍ତ୍ରଣ ନ ହେଲେ ଏ‌ ନେଇ ବିଚାର କରାଯିବ ବୋଲି ଜଣାପଡ଼ିଛି । ତେବେ ସେବକମାନେ କିନ୍ତୁ ରଥଯାତ୍ରା ବନ୍ଦ ସପକ୍ଷରେ ନାହାନ୍ତି । ଗତ ୫୦୦ ବର୍ଷର ଇତିହାସରେ ବହୁ ବିପତ୍ତି ସ‌ତ୍ତ୍ବେ ରଥଯାତ୍ରା ପାଳିତ ହୋଇଛି । ମହାପ୍ରଭୁ ଦେଉଳରେ ଥାଇ ରଥ ବନ୍ଦ ହୋଇନ‌ାହିଁ। ଏଥର ମଧ୍ୟ ହେବ ନାହିଁ ବୋଲି ସେମାନେ ଆଶା ରଖିଛନ୍ତି ।

 

କଟକଣା ଯୁକ୍ତ ରଥଯାତ୍ରା ହେଲେ ଏହା କିଭଳି ହେବ, ସମାଜିକ ଦୂରତା ଓ ବାହାର ପର୍ଯ୍ୟଟକଙ୍କୁ ଅନୁମତି ମିଳିବ କି ନାହିଁ ତାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି । ଏହି ୯ ଦିନର ଘୋଷଯାତ୍ରାରେ ପ୍ରତିଦିନ ଆଡ଼ପ ମଣ୍ଡପ ଦର୍ଶନ ପାଇଁ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପୁରୀ ଆସିଥା’ନ୍ତି । ସେହିଭଳି ବାହୁଡ଼ା ଯାତ୍ରା ଓ ସୁନାବେଶ ଦେଖିବ‌ା ପାଇଁ ମଧ୍ୟ ୧୫ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ । ଶ୍ରୀଗୁଣ୍ଡିଚା ଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ପୁରୀକୁ ୫୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏତେ ସଂଖ୍ୟକ ଭକ୍ତଙ୍କୁ ରୋକିବା ପାଇଁ ସରକାର କିଭଳି ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଛି। ଅନ୍ୟ ପକ୍ଷରେ ରଥଯାତ୍ରାର ଠିକ ୫ ମାସ ପରେ ପଡ଼ୁଛି ବିରଳ ତଥା ଦୁର୍ଲଭ ନାଗାର୍ଜୁନ ବେଶ। ନଭେମ୍ବର ୨୭ରେ ଏହି ବେଶ ୨୫ ବର୍ଷ ପରେ ପଡ଼ୁଛି। ଏହାକୁ କିଭଳି ପରିଚାଳନା କରାଯିବ ତାକୁ ନେଇ ମଧ୍ୟ ଆଲୋଚନା କ‌ରାଯାଇଛି।