ପୁରୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା : ପକ୍ସୋ ଆଇନର ୬ ଧାରାରେ ଦୋଷୀ ସାବ୍ୟସ୍ତ ହେଲେ ଫାଶୀଦଣ୍ଡର ବ୍ୟବସ୍ଥା,ଡିଆଇଜି କହିଲେ ୨୦ ଦିନ ଭିତରେ ଫାଇଲ ହେବ ଚାର୍ଜସିଟ୍

6,098

କନକ ବ୍ୟୁରୋ : ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଲଗାଇଲା ସଙ୍ଗୀନ ଦଫା । ପକ୍ସୋ ଆଇନର ୬ ଧାରାକୁ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଲାଗୁ କରିଛି ପୋଲିସ୍ । ଏହି ଧାରା ଅନୁସାରେ ଅଭିଯୁକ୍ତ ଦୋଷୀ ପ୍ରମାଣିତ ହେଲେ ଫାଶୀଦଣ୍ଡର ବ୍ୟବସ୍ଥା ରହିଛି । ତା’ସହ ଆଇପିସିର ଧାରା ୩୬୩, ୩୭୬-ଡିଏ, ୩୯୪ରେ ମାମଲା ରୁଜୁ ହୋଇଛି । ମାମଲାର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି ଆଜି ପୁରୀ ପୋଲିସ ପକ୍ଷରୁ ୨୦ ଦିନ ଭିତରେ ତଦନ୍ତ କରି ଚାରସିଟ୍ ଦାଖଲ କରିବାକୁ ନିଷ୍ପତି କରିଛି । ଏହା ସହିତ ଅଭିଯୁକ୍ତମାନଙ୍କୁ କିଭଳି ଅଧିକରୁ ଅଧିକ ଦଣ୍ଡ ମିଳିବ ସେଥିପାଇଁ ଆବଶ୍ୟକ ତଥ୍ୟ ପ୍ରମାଣ ଯୋଗାଡରେ ପୋଲିସ ଲାଗିଥିବା ସୂଚନା ଦେଇଛନ୍ତି କେନ୍ଦ୍ରାଂଚଳ ଡିଆଇଜି ଆଶିସ ସିଂହ ।

ତେବେ ତଦନ୍ତରେ ଗୋପନୀୟତା ରକ୍ଷା କରିବା ପାଇଁ ତଦନ୍ତ ସମ୍ପର୍କରେ ଅଧିକ ସୂଚନା ଦେବାକୁ ମନା କରିଛନ୍ତି ଡିଆଇଜି । ସଭ୍ୟ ସମାଜରେ ଏଭଳି କୁକର୍ମକାରୀର କୌଣସି ସ୍ଥାନ ନାହିଁ । ଏବଂ ଏମାନଙ୍କୁ କଡା ଦଣ୍ଡବିଧାନ ପାଇଁ କୋର୍ଟରେ ପୋଲିସ ସମସ୍ତ ତଥ୍ୟ ପ୍ରମାଣ ଉପସ୍ଥାପନ କରିବ । ଏଥିସହ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ପୂର୍ବରୁ ପୋଲିସ ବିଭାଗରୁ ବହିଷ୍କୃତ ହୋଇଥିଲେ ବି ପୋଲିସ ପରିଚୟ ପତ୍ର ଦେଖାଇ ନିଜକୁ ପୋଲିସ କହୁଥିବାରୁ ତା’ବିରୋଧରେ ଆଇପିସିର ଧାରା ୪୨୦ରେ ଆଉ ଏକ ମାମଲା ରୁଜୁ କରାଯିବ ବୋଲି ଡିଆଇଜି କହିଛନ୍ତି । ଅନ୍ୟପଟେ ପୀଡିତାଙ୍କ ଡାକ୍ତର ମାଇନା କରାଯିବା ସହ ବୟାନ ରେକର୍ଡ ହୋଇଥିବା ଡିଆଇଜି କହିଛନ୍ତି ।

ଏବେ ଆସନ୍ତୁ ଜାଣିବା ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ଦଫା ଗୁଡିକ କଣ ଦର୍ଶାଉଛି ଓ ଅଭିଯୋଗ ପ୍ରମାଣିତ ହେଲେ କଣ ରହିଛି ଦଣ୍ଡ ବ୍ୟବସ୍ଥା ।

ଆଇପିସି ଧାରା ୩୬୩- ବଳପୂର୍ବକ ଅପହରଣ
ଦଣ୍ଡ- ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଓ ଜରିମାନା

ଆଇପିସି ଧାରା ୩୭୬ – ଡିଏ – ନାବାଳିକାକୁ ଦୁଷ୍କର୍ମ ଓ ଗଣଦୁଷ୍କର୍ମ
ଦଣ୍ଡ- ଆଜୀବନ କାରାଦଣ୍ଡ

ଆଇପିସି ଧାରା ୩୯୪ – ମାଡ ମାରିବା, ଆଘାତ ଦେବା ଓ ଡକାୟତି କରିବା
ଦଣ୍ଡ- ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ

ପକସୋ ଆକ୍ଟ ଧାରା ୬- ନାବାଳିକାକୁ ଯୌନ ନିର୍ଯାତନା
ଦଣ୍ଡ- ଫାଶୀ ଦଣ୍ଡର ବ୍ୟବସ୍ଥା