ପୁରୀ : ଜନଗହଳିପୂର୍ଣ୍ଣ ବଡଦାଣ୍ଡରେ ଆଇନଜୀବୀଙ୍କୁ ନିର୍ମମ ହତ୍ୟା

24

କନକ ବ୍ୟୁରୋ : ବଡଦାଣ୍ଡରେ ଆଇନଜୀବୀଙ୍କୁ ହତ୍ୟା । ଗତ କାଲି ରାତି ପ୍ରାୟ ୯ଟା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ପୁରୀ ଚୁଡଙ୍ଗ ସାହିର ଲକ୍ଷ୍ମୀଧର ସାହୁଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ପେଟ୍ରୋଲ ପମ୍ପରେ ଗାଡିରେ ତେଲ ପକାଉଥିବା ସମୟରେ ହଠାତ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଗାଡି ସମ୍ମୁଖକୁ ଚାଲି ଆସି ତାଙ୍କୁ ଲୁହା ରଡରେ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ସେଠାରେ ଲକ୍ଷ୍ମୀଧର ଅଚେତ ହୋଇପଡିଥିଲେ ।

ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିବାବେଳେ ସେଠାରୁ ଲକ୍ଷ୍ମୀଧରଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ତେବେ ତାଙ୍କୁ କଟକ ନେବା ବାଟରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବ ବିବାଦରୁ ଏଡି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଏହି ବିବାଦକୁ କେନ୍ଦ୍ର କରି ଟାଉନ ଥାନାରେ ପୂର୍ବରୁ ମଧ୍ୟ ଦୁଇଟି ମାମଲା ରୁଜୁ ହୋଇଛି ।