ଶ୍ରୀକ୍ଷେତ୍ର ଅକ୍ତିଆର କରିବ କିଏ ? ମୈଦାନରେ ତିନି ଦଳର ତିନି ମୁଖପାତ୍ର

519

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ମହାସମରରେ ବାଜି ମାରିବ କିଏ ? ପୁରୀ ଲୋକସଭା ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏଥର ଦେଖିବାକୁ ମିଳିବ ବିଭିନ୍ନ ଦଳର ମୁଖପାତ୍ରଙ୍କ ମଧ୍ୟରେ ଲଢେଇ। ଆଜି ୭ ଲୋକସଭା ଲାଗି କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଚିତ୍ର ସ୍ପଷ୍ଟ ହୋଇଛି । ପୁରୀ ପାଇଁ ସମ୍ବିତ ମହାପାତ୍ରଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପୁଣି ଥରେ ପିନାକୀ ମିଶ୍ରଙ୍କ ଉପରେ ଆସ୍ଥା ପ୍ରକଟ କରିଛି ବିଜେଡ଼ି । ଆଉ ଶ୍ରୀକ୍ଷେତ୍ର ଅକ୍ତିଆର କରିବା ପାଇଁ ସାମ୍ବାଦିକରୁ ରାଜନେତା ବନିଥିବା ସତ୍ୟ ପ୍ରକାଶ ନାୟକଙ୍କୁ ପ୍ରାର୍ଥୀ କରିଛନ୍ତି କଂଗ୍ରେସ ହାଇକମାଣ୍ଡ ।

ପୁରୀରେ ଏଥର ଦେଖିବାକୁ ମିଳିବ କଡ଼ା ଟକ୍କର । ବିଜେପିର କୁହାଳିଆ ପ୍ରାର୍ଥୀ ସମ୍ବିତ ପାତ୍ର ତଥା ଶ୍ରୀକ୍ଷେତ୍ର ଅକ୍ତିଆର କରିଆସୁଥିବା ପୀନାକି ମିଶ୍ରଙ୍କୁ କଡ଼ା ଟକ୍କର ଦେବେ ପ୍ରଦେଶ କଂଗ୍ରେସ ମିଡ଼ିଆ ସେଲର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ । ପୁରୀ ଲୋକସଭା ଆସନରେ ଦୀର୍ଘବର୍ଷ ଧରି ବିଜେଡ଼ି ନିଜର ଦବଦବା ଦେଖାଇ ଆସିଛି । ଲଗାତାର ଭାବେ ପିନାକୀ ମିଶ୍ର ଏହି ଆସନରୁ ନିର୍ବାଚନ ଜିତୁଛନ୍ତି । ବିଜେଡ଼ି ଗଠନ ହେବା ଠାରୁ ଦଳ ହାତରେ ରହିଛି ପୁରୀ ଲୋକସଭା ଆସନ । ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ବ୍ରଜକିଶୋର ତ୍ରିପାଠୀ ଲଗାତାର ବିଜେଡ଼ିରୁ ପ୍ରାର୍ଥୀ ହୋଇ ପୁରୀ ଲୋକସଭା ଆସନ ଅକ୍ତିଆର କରିଥିଲେ । ଆଉ ତା’ପରେ ପୀନାକି ମିଶ୍ର ୨୦୦୯ ଓ ୨୦୧୪ରେ ବିଜେଡ଼ି ତରଫରୁ ନିର୍ବାଚନ ଜିତିଛନ୍ତି । ସିଧାସଳକଖ କହିବାକୁ ଗଲେ ଏବେ ପୁରୀ ଲୋକସଭା ସଂସଦୟୀ କ୍ଷେତ୍ର ବିଜେଡ଼ିର ଗଡ଼ ଭାବେ ପରିଚିତ ।

ଜଗନ୍ନାଥ ଧାମରେ ବିଜୟ ଧାରା ବଜାୟ ରଖିବା ପାଇଁ ପୁଣି ପୀନାକିଙ୍କ ଉପରେ ଭରସା କରିଛନ୍ତି ବିଜେଡ଼ି ସୁପ୍ରିମୋ । ପୁରୀ ଲୋକଙ୍କ ପାଇଁ ପୀନାକି ମିଶ୍ର ନୂଆ ମୁହଁ ନୁହେଁ । ସେ ପୂର୍ବରୁ ଏହି ଆସନରୁ ଦୁଇ ଦୁଇ ଥର ନିର୍ବାଚନ ଜିତିସାରିଛନ୍ତି । ବିଜେଡି ଟିକେଟରେ ୨୦୦୯ ଓ ୨୦୧୪ରେ ବିଜୟୀ ହୋଇ ଛନ୍ତି ପୀନାକି । ତେଣୁ ଚଳିତ ନିର୍ବାଚନ ତାଙ୍କ ପାଇଁ ଏତେ କଷ୍ଟକର ହେବ ନାହିଁ ।

ଆଜି ସତ୍ୟପ୍ରକାଶ ନାୟକଙ୍କୁ ସାମ୍ନାକୁ ଆଣି ଗୋଟିଚାଳିନା କରିଛି କଂଗ୍ରେସ । ପୁରୀ ସହ ସିଧାସଳଖ ଜଡ଼ିତ ନଥିଲେ ମଧ୍ୟ ଜୀ କଳିଙ୍ଗରେ ଥିବା ସମୟରେ ସତ୍ୟପ୍ରକାଶ ଅନେକ ଥର ଦାରୁ ଚୟନ ଠାରୁ ଆରମ୍ଭ କରି ରଥରେ ମହିଳାଙ୍କ ଚଢ଼ିବା ଆଦି ପ୍ରସଙ୍ଗରେ ବତର୍କ କରିଆସିଛନ୍ତି । ଏହି ସବୁ ଖବର ମାଧ୍ୟମରେ ସତ୍ୟପ୍ରକାଶ ପରୋକ୍ଷ ଭାବେ ପୁରୀ ସହ ଜଡ଼ିତ । ତେବେ ଆଗାମୀ ସମୟରେ ଦେଖିବାକୁ ମିଳିବ ପୁରୀ ଲୋକ ସତ୍ୟପ୍ରକାଶଙ୍କ ବାଛୁଛନ୍ତି ନା ଆଉ କାହାକୁ ?

ସେପେଟ ପ୍ରଥମ ଥର ପାଇଁ ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି ସମ୍ବିତ ପାତ୍ର । ପୁରୀ ଲୋକସଭା ଆସନ ପାଇଁ ସମ୍ବିତ ସମ୍ପୂର୍ଣ୍ଣ ନୂଆ ମୁହଁ । ଥମ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଥିବା ସମ୍ବିତ ପାତ୍ର ୨୦୧୯ରେ ପୁରୀରୁ ନିଜ ଭାଗ୍ୟ ପରୀକ୍ଷା କରିବେ ।

ଉଲ୍ଲେଖଯୋଗ୍ୟ କି ପୁରୀର ବର୍ତ୍ତମାନ ଲୋକସଭା ସଦସ୍ୟ ଥିବା ବିଜୁ ଜନତା ଦଳର ପିନାକୀ ମିଶ୍ର ମଧ୍ୟ ଦଳର ମୁଖପାତ୍ର ଦାୟିତ୍ୱ ତୁଲାନ୍ତି । ତେଣୁ ଏଥର ଏହି ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିବ ତିନି ଦଳର ମୁଖପାତ୍ରଙ୍କ ଭିତରେ ଲଢ଼େଇ । ସମ୍ବିତ ପାତ୍ର ଓ ସତ୍ୟପ୍ରକାଶ ପ୍ରଥମ ଥର ଲାଗି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ଦେଖାଯାଉ, ଏମାନଙ୍କ ମଧ୍ୟରୁ ଏଥର କିଏ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ଭୋଟରଙ୍କ ହୃଦୟ ଜୟ କରିବାରେ ସମର୍ଥ ହେଉଛି ।