ପୁରୀରେ ଐତିହ୍ୟ ଭାଙ୍ଗି ବେପାର : ଏମାର ମଠ ଜାଗାରେ ହୋଇଛି ବାଇକ ଷ୍ଟାଣ୍ଡ

170

କନକ ବ୍ୟୁରୋ : ପୁରୀକୁ ଐତିହ୍ୟ ସହର କରିବା ଯୋଜନା ପଥ ହୁଡିଛି । ଐତିହ୍ୟସ୍ଥଳୀ ଭାଙ୍ଗି ସେ ସ୍ଥାନକୁ ଗାଡି ପାର୍କିଂ ପାଇଁ ନିଲାମ କରାଯାଇଛି । ତେଣୁ ସନ୍ଦେହ ଘେରକୁ ଚାଲି ଆସିଛି ରାଜ୍ୟ ସରକାରଙ୍କ ପୁରୀ ବିକାଶ କାମ । ଶ୍ରୀମନ୍ଦିର ଆଖପାଖରେ ଉଚ୍ଛେଦ ପରେ ସେଠାରେ ନିର୍ମାଣ କାମ ହେବ ବୋଲି ପ୍ରଶାସନ ସ୍ପଷ୍ଟ କରିଥିଲା । ହେଲେ ଏବେ ସେ ସ୍ଥାନଗୁଡିକୁ ପାର୍କିଂସ୍ଥଳୀ ପାଇଁ ପୁରୀ ପୌରସଂସ୍ଥା ନିଲାମ କରିଛି । ଏମାର ମଠ ଉଚ୍ଛେଦସ୍ଥାନରେ ନିର୍ମାଣ ଓ ବିକାଶ କାମ ବଦଳରେ ବାଇକ ଷ୍ଟାଣ୍ଡ ପାଇଁ ନିଲାମ କରି ବ୍ୟବସାୟର ବାଟ ଖୋଲିଛି ପୌରସଂସ୍ଥା ।

ଯାହାର କାଗଜପତ୍ର କନକ ନ୍ୟୁଜର ହସ୍ତଗସ୍ତ ହୋଇଛି । ଯେଉଁଥିରେ ଦର୍ଶାଯାଇଛି, ଦୁଇ ଚକିଆ ଯାନ ଘଂଟାକୁ ୧୦ ଟଙ୍କା, ୬ ଘଂଟାକୁ ୨୦ ଟଙ୍କା , ୧୨ ଘଂଟା ରଖିରେ ୩୦ ଟଙ୍କା ଓ ୨୪ ଘଂଟାକୁ ୪୦ ଟଙ୍କା ଆଦାୟ କରାଯିବ । ସେହିପରି ପୁରୁଣା ମାର୍କେଟ ବିଲଡିଂ ମାର୍କେଟ ଛକର କୋଠା ଉଚ୍ଛେଦ ସ୍ଥାନ ଏବଂ ମୋଚିସାହି ନିକଟ ସହଦେବ ମାର୍କେଟ ମଧ୍ୟ ଗାଡି ରଖିବା ସ୍ଥାନ ପାଲଟିଗଲାଣି । ବିକାଶ କାମ ବିଳମ୍ବ କରି ପ୍ରଶାସନର ଏପରି ଲାଭଖୋର ମନୋବୃତିକୁ ନେଇ ଲୋକେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।