ପୁରୀରେ କରୋନା ପାଇଁ ହାଇଆଲର୍ଟ : ବିଦେଶୀ ପର୍ଯ୍ୟଟକଙ୍କ ଉପରେ କଡା ନଜର, ଡାକ୍ତରଖାନାରେ ହେଲା ସ୍ୱତନ୍ତ୍ର ୱାର୍ଡ

421

କନକ ବ୍ୟୁରୋ : ଓଡିଶାରେ କରୋନା ଭୂତାଣୁ ପାଇଁ ବ୍ୟାପକ ସତର୍କତା । ଏହି କ୍ରମରେ ପୁରୀରେ ଜାରି ହୋଇଛି ଆଲର୍ଟ । ପୁରୀକୁ ପ୍ରତିଦିନ ଶହ ଶହ ବିଦେଶୀ ପର୍ଯ୍ୟଟକ ଆସୁୁଥିବାରୁ କରୋନା ପାଇଁ ପୁରୀରେ ଆଲର୍ଟ କରାଯାଇଛି । ସବୁ ହୋଟେଲକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କାରଣ ପ୍ରତ୍ୟକ ମାସରେ ପୁରୀକୁ ୫ ଶହରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି । ଏବେ ବିଶ୍ୱରେ ୮୫ରୁ ଅଧିକ ଦେଶରେ କରୋନା ଭୂତାଣୁ ସଂକ୍ରମିତ ହୋଇଥିବାରୁ ବିଦେଶୀ ପର୍ଯ୍ୟଟକଙ୍କ ଉପରେ ରଖାଯାଇଛି କଡାନଜର ।

ପୁରୀକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ଯାଂଚ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ହୋଟେଲରେ ରହୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ କରୋନା ଭୂତାଣୁ ଲକ୍ଷଣ ଦେଖା ଦେଲେ ତୁରନ୍ତ ନିୟନ୍ତ୍ରଣ କକ୍ଷକୁ ଜଣାଇବାକୁ କୁହାଯାଇଛି । ସନ୍ଦେହ ହେଲେ ସେମାନଙ୍କୁ ତୁରନ୍ତ ଆଣି କରୋନା ୱାର୍ଡରେ ଭର୍ତି କରାଯିବ । ଏଥିପାଇଁ ପ୍ରଶାସନ ପାରା ମେଡିକାଲ ଷ୍ଟାଫଙ୍କୁ ନେଇ ଏକ ରାପିଡ୍ ଆକ୍ସନ ଫୋର୍ସ ତିଆରି କରିଛି । ସେପଟେ ପୁରୀ ଡାକ୍ତରଖାନାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି ।

ପୁରୀରେ ଘରୋଇ ଭାବେ ଚିକିତ୍ସା ସେବା ଯୋଗାଉଥିବା ଡାକ୍ତର ଓ ଡାକ୍ତରଖାନା କରୋନା ରୋଗୀ ସମ୍ପର୍କରେ ସୂଚନା ପାଇଲେ ତୁରନ୍ତ ରାପିଡ୍ ଆକ୍ସନ ଫୋର୍ସକୁ ଜଣାଇବାକୁ କୁହାଯାଇଛି । ଗତ କିଛି ଦିନ ଧରି ବିଦେଶରୁ ପୁରୀ ଆସିଥିବା ପର୍ଯ୍ୟଟକଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଯାଂଚ କରାଯିବା ବ୍ୟବସ୍ଥା ହୋଇଛି ।