ଧୀରେ ଧୀରେ ଖୋଲୁଛି ପାର୍ସଲ ବୋମାର ପାପ ପେଡ଼ି ! ଦୃଶ୍ୟମ ସିନେମା ଦେଖି ଅପରାଧ ଭିଆଇଥିଲା ଖଳନାୟକ ପୁଂଜିଲାଲ

47

କନକ ବ୍ୟୁରୋ : ପାଟଣାଗଡ଼ର ପାର୍ସଲ ବୋମାର ଅଭିଯୁକ୍ତ ପୁଂଜିଲାଲ ମେହରଙ୍କ ଷଡ଼ଯନ୍ତ୍ର ନେଇ ସାମନାକୁ ଆସୁଛି ଅନେକ ଚାଂଚଲ୍ୟକର ତଥ୍ୟ । କ୍ରାଇମବ୍ରାଂଚ ଜେରା ଯେତିକି ଆଗକୁ ଯାଉଛି, ପଦାକୁ ଆସୁଛି ସମସ୍ତଙ୍କୁ ଚକିତ କରିଦେବା ଭଳି କାହାଣୀ । ଚଳଚ୍ଚିତ୍ରର କାହାଣୀ ଭଳି ହତ୍ୟା ଷଡ଼ଯନ୍ତ୍ର କରିଥିଲା ପୁଂଜିଲାଲ । ସେଥିପାଇଁ ଦୃଶ୍ୟମ ଫିଲ୍ମକୁ ଅନେକ ଥର ଦେଖିଥିଲା ପୁଂଜିଲାଲ । ଏହି ଫିଲ୍ମରୁ ପ୍ରେରଣା ପାଇଥିଲା, କିଭଳି ପ୍ରମାଣକୁ ନଷ୍ଟ କରିଦେବ, ଆଉ ପୋଲିସର ତଦନ୍ତକୁ ଭିନ୍ନ ଦିଗକୁ ବଦଳାଇଦେବ ।

Punji

ବଲିଉଡ଼ର ଚର୍ଚ୍ଚିତ ଚଳଚିତ୍ର ଦୃଶ୍ୟମକୁ ବାରମ୍ବାର ଦେଖିଥିଲା ପୁଂଜିଲାଲ । କାରଣ ଏହି ଫିଲ୍ମରେ ପୋଲିସକୁ ଚକମା ଦେଇ ମର୍ଡର ପ୍ଲଟର ସବୁ ପ୍ରମାଣ ନଷ୍ଟ କରିଥିଲା ନାୟକ । ଅବଶ୍ୟ ନିଜ ପରିବାରକୁ ରକ୍ଷା କରିବା ପାଇଁ ଏହି କୌଶଳ ଆପଣେଇଥିଲା ଫିଲ୍ମର ନାୟକ । କିନ୍ତୁ ଅଧ୍ୟକ୍ଷ ପଦ ଯିବା ପରେ ପ୍ରତିଶୋଧର ନିଆଁରେ ଜଳୁଥିବା ପୁଂଜିଲାଲ କରିଥିଲା ପାର୍ସଲ ବୋମାର ଷଡଯନ୍ତ୍ର । ଦୃଶ୍ୟମ ଫିଲ୍ମରୁ ଅନେକ ପ୍ରେରଣା ପାଇଥିଲା ପାର୍ସଲ ବୋମାର ଖଳନାୟକ । ଏହି ଫିଲ୍ମକୁ ବାରମ୍ବାର ଦେଖି ପୋଲିସକୁ ଭୁଆଁ ବୁଲାଇବା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଥିଲା । ଜେରା ଚାଲିଥିବା ବେଳେ ପୁଂଜିଲାଲ ସଂପର୍କରେ ଏହିପରି ଚାଂଚଲ୍ୟକର ତଥ୍ୟ ପାଇଛି କ୍ରାଇମବ୍ରାଂଚ ।

ଦୃଶ୍ୟମ ଫିଲ୍ମର କିଛି ଦୃଶ୍ୟ ଦେଖିଲେ, ଆପଣ ମଧ୍ୟ ଜାଣିପାରିବେ କିପରି ପ୍ରଭାବିତ ହୋଇଥିଲା ଏହି ହତ୍ୟାକାରୀ । କ୍ରାଇମବ୍ରାଂଚ୍ ହାତରେ ଧରାପଡ଼ିବା ପରେ ଧୀରେ ଧୀରେ ସାମ୍ନାକୁ ଆସୁଛି ଷଡଯନ୍ତ୍ରର ପୂରା ପ୍ଳଟ୍ । ବୋମା ଭର୍ତ୍ତି ପାର୍ସଲ ଧରି କଂଟାବାଞ୍ଜିରୁ ରାୟପୁର ଅଭିମୁଖେ ବାହାରିଥିଲା ପୁଂଜିଲାଲ । ମୁଣ୍ଡରେ ଟୋପି ଏବଂ ବ୍ଲାକ୍ ଜାକେଟ୍ ପିନ୍ଧି ସିସିଟିଭି କ୍ୟାମେରାଠାରୁ ଲୁଚି ଛପି ପହଂଚିଥିଲା ରାୟପୁର । ଏପରିକି ରାୟପୁର ଯିବା ପାଇଁ ପୁଞ୍ଜିଲାଲ୍ ଟିକେଟ ବି କରିନଥିଲା । ବିନା ଟିକେଟରେ ରାୟପୁର ଯାଇ ପାର୍ସଲ କରିବା ପରେ ବିନା ଟିକେଟରେ ପାଟଣାଗଡ଼ ଫେରିଥିଲା । ପୋଲିସ ଆଖିରେ ଧୂଳି ଦେବା ପାଇଁ ଷଡଯନ୍ତ୍ରର ଫୁଲ-ପ୍ରୁଫ୍ ପ୍ଲାନ କରିଥିଲା ପୁଂଜିଲାଲ । ଠିକ୍ ଯେମିତି, ପୋଲିସକୁ ବାଟବଣା କରିବା ପାଇଁ ଦୃଶ୍ୟମ ଫିଲ୍ମରେ କରିଥିଲା ନାୟକ । ଅପରାଧର ସବୁ ପ୍ରମାଣ ନଷ୍ଟ ପାଇଁ ଯୋଜନା କରିଥିଲା ପୁଂଜିଲାଲ । କଲେଜରେ ପିଲାଙ୍କୁ ଜ୍ଞାନ ବାଂଟୁଥିବା ଜଣେ ଅଧ୍ୟାପକ ଯେ ଏପରି ଅପରାଧର ଷଡଯନ୍ତ୍ର କରିପାରନ୍ତି ଏହା ଆଶ୍ଚର୍ଯ୍ୟ କରିଛି କ୍ରାଇମବ୍ରାଂଚ ଅଧିକାରୀଙ୍କୁ ।

punjilala

ୟୁ-ଟ୍ୟୁବରୁ ବୋମା ତିଆରି କୌଶଳ ଶିଖିବା ଠାରୁ ପାର୍ସଲ ପଠାଇବା ପର୍ଯ୍ୟନ୍ତ ସବୁକିଛି ଥିଲା ଚଳଚ୍ଚିତ୍ରର କାହାଣୀ ପରି । ରାୟପୁରରେ ନିଜେ କୋରିୟର ବୁକିଂ କରିବା ବଦଳରେ ରେଲୱେ ଷ୍ଟେସନରୁ ଯାଇଥିବା ଅଟୋ ଡ୍ରାଇଭର ହାତରେ ପାର୍ସଲ ପଠାଇଥିଲା ପୁଂଜିଲାଲ । ଅପରାଧର ସବୁ ପ୍ରମାଣକୁ ନଷ୍ଟ କରିବା ପାଇଁ ରାୟପୁର ପିନ୍ଧିକି ଯାଇଥିବା କୋଟ୍ ଏବଂ ଟୋପିକୁ ମଧ୍ୟ ପୋଡ଼ି ଦେଇଥିଲା । ଦୃଶ୍ୟମ ଫିଲ୍ମ ଓ ପୁଂଜିଲାଲର ଷଡଯନ୍ତ୍ର ଭିତରେ ଏତିକି ପ୍ରଭେଦ ଥିଲା ଜଣେ ପରିବାରକୁ ବଂଚାଇବା ପାଇଁ ଉଦ୍ୟମ କରୁଥିଲା, ଜଣେ କରୁଥିଲା ଅନ୍ୟ ଏକ ପରିବାରକୁ ବୋମାରେ ଉଡାଇ ଦେବାର ଷଡଯନ୍ତ୍ର । ଦୃଶ୍ୟମ ସିମୋରେ ଶେଷ ପର୍ଯ୍ୟନ୍ତ ପୋଲିସକୁ ସୁରାକ ମିଳିନଥିଲା । ହେଲେ ପୁଂଜିଲାଲର ପାପ ପେଡି ଖୋଲିଯାଇଥିଲା । ପୋଲିସକୁ ଦିଗହରା କରିବା ପାଇଁ ପୁଂଜିଲାଲ ଦେଇଥିବା ଶେଷ ଚିଠି ଓ ଘରେ ଥିବା ବହିଥାକରେ ପାର୍ସଲ ରିସିପ୍ଟ ଷଡଯନ୍ତ୍ରର ପୂରା ପୃଷ୍ଠା ଖୋଲି ଦେଇଥିଲା ।