କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ପଞ୍ଜାବ ସରକାର ନେଲେ ବଡ ନିଷ୍ପତି । ପଞ୍ଜାବର କ୍ୟାପଟେନ ଅମରିନ୍ଦର ସରକାର ରାଜ୍ୟରେ କର୍ଫ୍ୟୁ ଘୋଷଣା କରିଛନ୍ତି । ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ ବୋଲି ପଞ୍ଜାବ ସରକାର କହିଛନ୍ତି । କରୋନା ଭାଇରସ୍ ମୁକାବିଲା ଲାଗି ପୂରା ପଞ୍ଜାବରେ କର୍ଫ୍ୟୁ ଜାରି କରାଯାଇଥିବା ନେଇ ସୋମବାର ମୁଖ୍ୟମନ୍ତ୍ରୀ କ୍ୟାପଟନ୍ ଅମ୍ରିନ୍ଦର ସିଂହ ସୂଚନା ଦେଇଛନ୍ତି। ଲକ-ଡାଉନକୁ ଲୋକେ ଗମ୍ଭୀରତାର ସହ ନେଉ ନ ଥିବାରୁ ପଞ୍ଜାବରେ କର୍ଫ୍ୟୁ ଜାରି ହୋଇଛି। ତେବେ ଅତ୍ୟାବଶ୍ୟକୀୟ ସେବାକୁ କର୍ଫ୍ୟୁରୁ ବାଦ ଦିଆଯାଇଛି। ରାଜ୍ୟରେ ବାହାରକୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ବୋଲି ସରକାର ଲୋକଙ୍କୁ ଚେତାଇ ଦେଇଛନ୍ତି।
ଏହା ପୂର୍ବରୁ ପୂରା ରାଜ୍ୟରେ ଲକ୍-ଡାଉନ୍ ଘୋଷଣା ହୋଇଥିଲା । ଏବେ କରୋନାଭାଇରସ୍ ସଂକ୍ରମଣ ଆଶଙ୍କା ପୂରା ଦେଶରେ ଦେଖିବାକୁ ମିଳିଛି । କରୋନା ସତର୍କତା ପାଇଁ ୨୨ଟି ରାଜ୍ୟର ୮୨ଟି ଜିଲ୍ଲାରେ ଲକ୍-ଡାଉନ୍ ଘୋଷଣା କରାଯାଇଛି । ଲୋକମାନେ ଯଥାସମ୍ଭବ ସଚେତନ ରୁହନ୍ତୁ ଓ ଅନ୍ୟକୁ ସଚେତନ କରାନ୍ତୁ ବୋଲି ବାରମ୍ବାର ପ୍ରଶାସନ ଜାଗୃତ କରୁଛି । କିନ୍ତୁ ଏସବୁ ଭିତରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଲକ୍-ଡାଉନ୍କୁ ଗମ୍ଭୀରତା ସହ ନେଉ ନାହାନ୍ତି । ଏମିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ଲୋକମାନଙ୍କୁ ଏହି ସରକାରୀ ନିର୍ଦ୍ଦେଶର ପାଳନ କରିବାକୁ ଅନୁରୋଧ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ‘ଲକ୍-ଡାଉନ’କୁ ଏବେ ବି କେତେକ ଲୋକ ଗମ୍ଭୀରତା ସହ ନେଉ ନାହାନ୍ତି । ଦାୟା କରି ନିଜେ ନିଜକୁ ବଞ୍ଚାନ୍ତୁ । ନିଜ ପରିବାରକୁ ଏଥିରୁ ଦୂରେଇ ରଖନ୍ତୁ । ନିର୍ଦ୍ଦେଶକୁ ଗମ୍ଭୀରତା ସହ ପାଳନ କରନ୍ତୁ । ରାଜ୍ୟ ସରକାରଙ୍କୁ ମୋର ଅନୁରୋଧ କି ଲୋକମାନଙ୍କୁ ଏହି ନିୟମର ପାଳନ କରାନ୍ତୁ।’