ପୁଲୱାମା ଆକ୍ରମଣକୁ ବର୍ଷେ ପୂରିବ : ବୀର ପୁତ୍ରକୁ ମନେ ପକାଇ ଗୁମୁରି କାନ୍ଦୁଛି ମା’ମାଟି

2,463

କନକ ବ୍ୟୁରୋ : ପୁଲୱାମା ଆକ୍ରମଣକୁ ବର୍ଷେ ପୂରିବ । ବର୍ଷେ ପୂର୍ବେ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଦେଶ । ଇତି ମଧ୍ୟରେ ବର୍ଷେ ବିତିଯାଇଛି, ହେଲେ ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମା’ମାଟି । ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛି ମାତୃଭୂମି ।

ସେଦିନ ଥିଲା ଫେବୃୟାରୀ ୧୪ ତାରିଖ । ରାଜପଥ ଉପରେ ଲମ୍ବା ଲାଇନ୍ ହୋଇ ଆଗକୁ ବଢ଼ୁଥିଲା ସିଆର୍ପିଏଫ୍ ଯବାନଙ୍କ କାଫିଲା । ୭୮ଟି ବସରେ ଟ୍ରାଂଜିଟ୍ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ । ସବୁ କିଛି ସ୍ୱାଭାବିକ୍ ଚାଲିଥିଲା । ହେଲେ ହଠାତ୍ ଖୁବ୍ ଜୋରରେ ଶୁଭିଲା ଏକ ବିସ୍ଫୋରଣର ଶବ୍ଦ । ଆଉ ଆଖି ଖୋଲି ଚାହିଁଲା ବେଳକୁ ସବୁ ଖିନ୍ବିନ୍ ହୋଇସାରିଥିଲା ।

ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଦୋହଲି ଯାଇଥିଲା । ବିସ୍ଫୋରଣ ଶବ୍ଦ ନିରବୀ ଗଲା ପରେ ଯାହା ସାମ୍ନାକୁ ଆସିଲା, ସେହି ଭଳି ଘଟଣା, ଭାରତ ଇତିହାସରେ ହୁଏତ ପୂର୍ବରୁ କେବେ ଘଟିନଥିଲା ।

ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆର୍ପିଏଫର ଅନେକ ଯବାନ । ଏତିକିରେ ସରିନଥିଲା ନରରାକ୍ଷସଙ୍କ ଆକ୍ରମଣ । କୋହଲା ପାଖର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ । ପାଲଟା ଗୁଳିମାଡ଼ କଲା ବେଳକୁ ଅନେକ କିଛି ହରାଇ ସାରିଥିଲା ଭାରତ ।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଯବାନଙ୍କ ଶରୀର । ରକ୍ତରେ ଭିଜିଯାଇଥିଲା ରାଜରାସ୍ତା ।  ଏହି ଘଟଣାରେ ପୁରା ଦେଶ ସ୍ତମ୍ଭୀଭୂତ ହୋଇଯାଇଥିଲା । ଚାରିଆଡ଼େ ଖେଳି ଯାଇଥିଲା ଅବ୍ୟକ୍ତ ନୀରବତା । ଶୋକରେ ବୁଡ଼ିଯାଇଥିଲା ପୁରା ଦେଶ ।