ଗଲୱାନ ଘାଟିରେ ଖୁବ୍ ଶୀଘ୍ର ଫେରିବ ପୂର୍ବାବସ୍ଥା : ଦୁଇ ଦେଶର ସହମତି ପରେ ପଛକୁ ହଟୁଛନ୍ତି ସେନା, ଭାରତୀୟ ଏନଏସଏ ଅଜିତ ଡୋଭାଲ ଓ ଚୀନ ବିଦେଶ ମନ୍ତ୍ରୀ ୨ ଘଂଟା ଧରି ଆଲୋଚନା କରିବା ପରେ ହୋଇଛି ସମ୍ଭବ

401

କନକ ବ୍ୟୁରୋ : ଗଲୱାନ ଘାଟିରେ ଖୁବ୍ ଶୀଘ୍ର ଫେରିବ ପୂର୍ବାବସ୍ଥା । ଦୁଇ ଦେଶର ସହମତି ପରେ ପଛକୁ ହଟୁଛନ୍ତି ସେନା । ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ ଭାରତ-ଚୀନ୍ ବିବାଦ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନ୍ର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ୨ ଘଂଟା ଧରି ଟେଲିଫୋନରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଲାଇନ ଅଫ ଆକଚୁଆଲ କଂଟ୍ରୋଲ ବା ଏଲଏସି ନିକଟରେ ଉଭୟ ଦେଶ ସେନା ପ୍ରତ୍ୟାହାର କରିବା ପାଇଁ ସହମତି ପ୍ରକାଶ ପାଇବା ପରେ ପଛକୁ ହଟୁଛନ୍ତି ସେନା ।

ଚୀନ୍ ସେନା ଗଲୱାନ ଘାଟିରୁ ୧ ରୁ ୨ କିଲୋମିଟର ପଛକୁ ଘୁଂଚିଥିବା ନେଇ ଭାରତୀୟ ସେନା ସୂତ୍ରରୁ ସୁଚନା ମିଳିଛି । ସୂଚନା ଅନୁସାରେ ଚାଇନାର ସେନା, ଗଲୱାନ ଘାଟିରୁ ସେନା ପ୍ରତ୍ୟାହାର କରିବା ସହିତ ସେଠାରେ ଲଗାଇଥିବା ଟେଂଟଗୁଡିକୁ କାଢିବା ପ୍ରକ୍ରିୟା ଆରମ୍ଭ କରିଦେଇଛି । ଭାରତୀୟ ସେନା ମଧ୍ୟ ଏଲଏସିରୁ ପଛକୁ ହଟିଛି । ଉଭୟ ସେନା ପାଖାପାଖି ୧ କିଲୋମିଟର ଯାଏ ପଛକୁ ହଟିଥିବା ସୂଚନା ମିଳିଛି । ତେବେ ଡୋଭାଲ ଓ ଚୀନ ମନ୍ତ୍ରୀଙ୍କ ଆଲୋଚନା ପରେ ପୂର୍ବ ଲଦାଖରେ ଉତେଜନା କମିବାର ସମ୍ଭାବନା ସୃଷ୍ଟି ହୋଇଛି ।