ପୁଡ଼ୁଚେରୀରେ ସରକାର-ଲେଫଟନାଂଟ ଗଭର୍ଣ୍ଣର ମୁହାଁମୁହିଁ : ରାଜଭବନ ଆଗରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ଧାରଣା, ୩୯ ପ୍ରସ୍ତାବକୁ ଖାରଜ କରିଥିଲେ କିରଣ ବେଦୀ

165

କନକ ବ୍ୟୁରୋ : ପୁଡୁଚେରୀରେ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ସରକାର ଓ ଲେଫଟନାଂଟ ଗଭର୍ଣ୍ଣର । ଲେଫଟନାଂଟ ଗଭର୍ଣ୍ଣର କିରଣ ବେଦୀଙ୍କ କିଛି ନିଷ୍ପତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ଭି .ନାରାୟଣସାମୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ରାଜଭବନ ଆଗରେ ଧାରଣାରେ ବସିଛନ୍ତି । ଗତକାଲିଠାରୁ ଏହି ଧାରଣା ଚାଲିଛି । ଲେଫଟନାଂଟ ଗଭର୍ଣ୍ଣର କିରଣ ବେଦୀ ସରକାରଙ୍କ ୩୯ଟି ପ୍ରସ୍ତାବରେ ସ୍ୱାକ୍ଷର କରିବାକୁ ମନାକରିଦେବା ପରେ ଏଭଳି ପରିସ୍ଥିତି ଉପୁଜିଛି । ଧାରଣାରେ କଂଗ୍ରେସ ଓ ଡିଏମକେ ମଧ୍ୟ ସାମିଲ ହୋଇଛନ୍ତିି । ଏକ ବିବାଦୀୟ ଘଟଣାକ୍ରମରେ ପୁଡୁଚେରୀ ବିଧାନସଭାର ବାଚସ୍ପତି ବି ଧାରଣାସ୍ଥଳକୁ ଆସିଥିଲେ । ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି ।

ଧାରଣସ୍ଥଳରେ ହିଁ ମୁଖ୍ୟମନ୍ତ୍ରୀ ନିଜ ଅଫିସ କାମ କରୁଛନ୍ତି । କିରଣ ବେଦୀଙ୍କଠାରୁ ସନ୍ତୋଷଜନକ ଉତର ନ ପାଇଲା ଯାଏଁ ଧାରଣସ୍ଥଳରୁ ହଟିବେନି ବୋଲି ସେପଟେ ଏଭଳି ଧାରଣାକୁ ବେଆଇନ ବୋଲି କହିଛନ୍ତି କିରଣ ବେଦୀ । ଏ ନେଇ ଲେଫଟନାଂଟ ଗଭର୍ଣ୍ଣର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ମଧ୍ୟ ଦେଇଛନ୍ତି । ଏଥିରେ କୁହାଯାଇଛି ଆଲୋଚନା ନ କରି ରାଜଭବନ ଆଗରେ ଧାରଣାରେ ବସିବା ଠିକ ନିଷ୍ପତି ନୁହେଁ ଓ ଏହା ବେଆଇନ । ଏ ବାବଦରେ ଆସନ୍ତାରେ ୨୧ରେ ଆଲୋଚନା କରିବାକୁ ନାରାୟଣସାମୀଙ୍କୁ ନିମନ୍ତ୍ରଣ କରିଥିଲେ କିରଣ ବେଦୀ । ଦୀର୍ଘଦିନ ଧରି ପୁଡୁଚେରୀରେ ସରକାର- ଲେଫଟନାଂଟ ଗଭର୍ଣ୍ଣର ମୁହାଁମୁହିଁ ହୋଇଛନ୍ତି । ଏପରିକି କିରଣ ବେଦୀଙ୍କୁ ହଟାଇବା ପାଇଁ ନାରାୟଣସାମୀ ଅନେକ ଦିନ ହେଲା ଦାବି କରିଆସୁଛନ୍ତି ।