କାଳ ହେଲା ପବଜି ଖେଳ । ଖେଳୁ ଖେଳୁ ରେଳଧାରଣା ଉପରକୁ ଚାଲିଗଲେ ଯୁବକ । ଶ୍ରମିକ ଟ୍ରେନ୍ ଧକ୍କାରେ ଚାଲିଗଲା ଜୀବନ

1,423

କନକ ବ୍ୟୁରୋ : ମୋବାଇଲରେ ପବଜି ଖେଳ ହେଲା କାଳ । ମୋବାଇଲରେ ପବଜି ଖେଳୁ ଖେଳୁ ରେଳଧାରଣା ଉପରକୁ ଚାଲିଗଲେ ଯୁବକ । ଶ୍ରମିକ ଟ୍ରେନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏପରି ଦୁଃଖଦ ଖବର ଆସିଛି ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ସିଏଲଲଟି ଗାଁରୁ । ରବିବାର ରାତିରେ ଏହି ଅଘଟଣ ଘଟିଥିବା ବେଳେ ମୃତ ଯୁବକଙ୍କ ନାମ କ୍ଷୀରମୋହନ ମାଝି ବୋଲି ଜଣାପଡ଼ିଛି ।

କ୍ଷୀରମୋହନ ନିଜ ମୋବାଇଲ ଫୋନରେ ପବଜି ଖେଳୁଥିଲେ । ଖେଳରେ ଏପରି ମଜ୍ଜି ଯାଇଥିଲେ ଯେ ପାଖରେ କଣ ଘଟୁଛି ଜାଣି ପାରିନଥିଲେ । ପବଜି ଗେମରେ ମଗ୍ନ ହୋଇ ଅଜାଣତରେ ସିଏଲ୍ଲଟି ରେ ଥିବା ରେଳଧାରଣା ଉପରକୁ ଚାଲି ଆସିଥିଲେ । ଏପରକିି ଟ୍ରେନ୍ ଆସିବା ସଂପର୍କରେ ମଧ୍ୟ ଜାଣି ପାରିନଥିଲେ । ଦ୍ରୁତ ଗତିରେ ଆସୁଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଆଖି ପିଛୁଳାକେ କ୍ଷୀରକୋହନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ରାତି ଅଧିକ ହୋଇଥିବାରୁ ଏହି ଘଟଣା ସଂପର୍କରେ କେହି ଜାଣି ପାରିନଥିଲେ । ଗତକାଲି ସକାଳେ କ୍ଷୀରମୋହନଙ୍କ ମୃତଦେହ ରେଳ ଧାରଣା ଉପରେ ପଡ଼ିଥିବାର ଦେଖିଥିଲେ ସ୍ଥାନୀୟ ଲୋକ । ରେଳବାଇ ପୁଲିସ ଖବର ପାଇବା ପରେ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ପୋଲିସକୁ ଶବ ହସ୍ତାନ୍ତର କରିଥିଲା ।