ସିଲଭର ସିଟିର ସାଇକୋ କିଲର ମିଳୁନି ପତ୍ତା : ୩ ଦିନ ଧରି ଜାଲ ବିଛାଇ ସାରାରାତି ପୋଲିସର ପାଟ୍ରୋଲିଂ , ହେଲେ ଫଳଶୂନ

133

କନକ ବ୍ୟୁରୋ : ଧରାପଡୁନି କଟକର ସାଇକୋକିଲର । ସିଲଭର ସିଟିରେ ତିନି ତିନିଟି ହତ୍ୟାକାଣ୍ଡ ଘଟାଇ ଲୁଚି ବୁଲୁଛି ହତ୍ୟାକାରୀ । ଆଉ ତାକୁ ଧରିବା ପାଇଁ ତନାଘନା ଜାରି ରଖିଛି କମିଶନରେଟ୍ ପୋଲିସ୍ । ତେବେ କଟକରେ ଯେମିତି ଏହିଭଳି ଘଟଣା ଆଉ ନଘଟେ, ସେଥିଲାଗି ପାଟ୍ରୋଲିଂ ଜାରି ରଖିଛି ପୋଲିସ । କଟକର ସମସ୍ତ ଆଇଆଇସି, ଏସିପି ଏବଂ ଅଧିକା ଫୋର୍ସଙ୍କୁ ନେଇ ପାଟ୍ରୋଲିଙ୍ଗ୍ କରୁଛନ୍ତି । ଅନ୍ୟପଟେ ହତ୍ୟାକାଣ୍ଡ ଘଟାଇ ଫେରାର ଥିବା ସାଇକୋ କିଲରକୁ ଧରିବା ପାଇଁ ଜଣେ ଅତିରିକ୍ତ ଡିସିପି, ଏସିପି ଓ ଜଣେ ଇନିସପେକ୍ଟରଙ୍କୁ ନେଇ ଗଠିତ ଟିମ୍ ତଦନ୍ତ ଜାରି ରଖିଛନ୍ତି । ହ୍ୟୁମାନ ଇଂଟେଲିଜେନ୍ସ, ସିସିଟିଭି, ମୋବାଇଲ୍ ଭିଜୁଆଲକୁ ଆଧାର କରି ସେମାନେ ତଦନ୍ତ ଚଳାଇଛନ୍ତି । କଟକ ସହରରେ ମାତ୍ର ୪୮ ଘଂଟା ଭିତରେ ତିନି ଜଣଙ୍କୁ ସମାନ ଢ଼ଙ୍ଗରେ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡର ପ୍ରାଥମିକ ତଦନ୍ତ ପରେ କେହି ସାଇକୋ କିଲର ଏହା କରୁଥାଇ ପାରେ ବୋଲି ସନ୍ଦେହ କରୁଛି ପୋଲିସ ।

ସୂଚନାଯୋଗ୍ୟ ଗଲା ୨୨ ତାରିଖ ବିଳମ୍ବିତ ରାତିରେ କଟକ ମଙ୍ଗଳାବାଗ ଥାନା ରାଣୀହାଟ କେନାଲ ରୋଡରେ ପ୍ରଥମ ଶିକାର କରିଥିଲା । ଶ୍ରମିକ ଗୋଧି କାଳିଆ ଓରଫ କୋଦଣ୍ତ ରାଉତଙ୍କୁ ପଥରରେ ଛେଚି ହତ୍ୟା କରିଥିଲା। ୨୩ ତାରିଖ ବିଳମ୍ବିତ ରାତିରେ ବଡ଼ ମେଡିକାଲ୍ କାର୍ଡିଓଲୋଜି ବିଭାଗ ସାମ୍ନା ଏବ˚ ପାରଳା ମହାରାଜ ଶିଶୁ ଉଦ୍ୟାନ ସାମ୍ନା ଫୁଟପାଥରେ ଦୁଇ ଜଣଙ୍କୁ ହତ୍ୟା କରିବା ପରେ ଓଡ଼ିଶା ପୁଲିସ ଗତକାଲି ସମସ୍ତ ଜିଲ୍ଲାର ଏସପି/ଡିସିପିଙ୍କୁ ସତର୍କ କରିଛି । ଫୁଟପାଥରେ ଶୋଉଥିବା ଅସହାୟ ଲୋକଙ୍କୁ ସୁରକ୍ଷା ଦେବା ସହିତ ସନ୍ଦିଗ୍ଧଙ୍କୁ ପଚରାଉଚରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପରୋକ୍ତ ତିନିଟି ହତ୍ୟାକାଣ୍ତର ତଦନ୍ତ ଦାୟିତ୍ବ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ହସ୍ତାନ୍ତର କରାଯାଇଛି । ତାଙ୍କ ଅଧୀନରେ ଏସିପି ପ୍ରମୋଦ ରଥ, ଜଣେ ଇନ୍ସ୍ପେକ୍ଟର, ଦୁଇ ଏସଆଇ, ସ୍ପେଶାଲ ସ୍କ୍ବାଡର ୧୧ ଜଣ କନେଷ୍ଟବଳ ସାମିଲ ହୋଇଛନ୍ତି । ଜୋରସୋରରେ ଖୋଜା ଚାଲିଥିଲେ ବି ଏଯାଏଁ ଅଜଣା କିଲର ପତ୍ତା ମିଳିପାରି ନାହିଁ ।