କନକ ବ୍ୟୁରୋ : କଟକରେ ମାତିଛି ସାଇକୋ କିଲର । ସାଇକୋ କିଲରର କାରନାମାକୁ ନେଇ ଅଶାନ୍ତ ହୋଇଉଠିଛି କଟକ ସହର । ୨୪ ଘଂଟା ମଧ୍ୟରେ ୩ ଜଣଙ୍କୁ ହତ୍ୟା କରିବା ପରେ ତାକୁ ଧରିବାକୁ ଜୋରଦାର ତନାଘନା ଚଳାଇଛି କମିଶନରେଟ୍ ପୋଲିସ । ଗତକାଲି ରାତି ସାରା କଟକରେ ପଇଁତରା ମାରିଥିଲା ପୋଲିସ । ତେବେ ପୋଲିସ ହାତକୁ ଏଯାଏଁ କିଛି ବି ମିଳିନି । କିଏ କାହିଁକି ଜଣେ ପରେ ଜଣେ ଏମିତି ନିରୀହ ଲୋକଙ୍କୁ ମାରୁଛି ତା’ର କୂଳ କିନାରା ପାଇପାରୁନି ପୁଲିସ। ସେପଟେ କଟକରେ ସାଇକୋ କିଲରକୁ ନେଇ ଲୋକେ ହୋଇଛନ୍ତି ଆତଙ୍କିତ ।
ମଙ୍ଗଳବାର ରାତିରେ ରାଣୀହାଟ କେନାଲ ରୋଡ ଅଞ୍ଚଳରେ କୋଦଣ୍ତ ରାଉତ ନାମକ ଢେଙ୍କାନାଳର ଜଣେ ଶ୍ରମିକଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିଲା। ପୁଲିସ ହତ୍ୟାକାରୀର ପତ୍ତା ଲଗାଇବା ପୂର୍ବରୁ ବୁଧବାର ରାତିରେ ସହରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସମାନ ଧରଣର ଦୁଇଟି ହତ୍ୟାକାଣ୍ତ ଘଟିଛି । ବଡ଼ ମେଡିକାଲ୍ ପରିସରରେ ଜଣେ ଜରି ଗୋଟାଳିଙ୍କୁ ହତ୍ୟା କରାଯାଇଛି । କିନ୍ତୁ ତାଙ୍କ ପରିଚୟ ମିଳିପାରି ନାହିଁ। ସେହିପରି ଓଏମ୍ପି ପାରଳା ମହାରାଜ ଶିଶୁ ଉଦ୍ୟାନ ସାମ୍ନାରେ ଜଣେ ପାନ ଦୋକାନୀଙ୍କୁ ଅନୁରୂପ ଭାବେ ହତ୍ୟା କରାଯାଇଛି । ଗଲା ୫ ବର୍ଷ ହେବ ଓଏମ୍ପି ଛକରେ ଏକ ପାନ ଦୋକାନ କରିଥିବା ଏହି ବ୍ୟକ୍ତିଙ୍କୁ ଲୋକେ ପଣ୍ତା ନାମରେ ଜାଣନ୍ତି।
ଉଭୟ ଘଟଣାରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ଏବ˚ ସନ୍ଧାନୀ କୁକୁର ଜରିଆରେ ତଦନ୍ତ କରିଥିଲେ ହେଁ କୌଣସି ସୁରାକ୍ ବା ପ୍ରମାଣ ହସ୍ତଗତ ହୋଇନାହିଁ। ଏହା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଆଜି ରାତିରୁ ସହରର ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ସହିତ ଡିସିପି ଅଖିଳେଶ୍ବର ସିଂ ବରିଷ୍ଠ ପୁଲିସ ଅଧିକାରୀମାନଙ୍କର ଏକ ଜରୁରୀ ବୈଠକ ଡାକି ୩ଟି ହତ୍ୟା ମାମଲାର ତଦନ୍ତ ତଥା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ କଟକରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/PHYCHO-KILLER_00000-750x430-1.png)