ଧରାପଡ଼ିଲା କି ସାଇକୋ କିଲର ? ମାରଣାସ୍ତ୍ର ସହ କଟକର ରାଣୀହାଟରେ ସନ୍ଦିଗ୍ଧ ଅଟକ, ପଚରାଉଚରା କରୁଛି ପୋଲିସ୍

2,511

କନକ ବ୍ୟୁରୋ : କଟକରେ ଧରାପଡ଼ିଲା କି ସାଇକୋ କିଲର ? ସିଲଭର ସିଟିରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସାଇକୋ କିଲର ଆତଙ୍କ ଭିତରେ ଧରାପଡ଼ିଲା ଜଣେ ସନ୍ଦିଗ୍ଧ । ଜଣେ ସନ୍ଦିଗ୍ଧକୁ ଧରିଛନ୍ତି ସ୍ଥାନୀୟ ଲୋକ । କଟକ ରାଣୀହାଟ ନିକଟରୁ ଏହି ମାନସିକ ଭିନ୍ନକ୍ଷମକୁ ଧରିଛନ୍ତି ଲୋକେ । ତା ନିକଟରୁ କେତେକ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଥିବା ଜଣାପଡିଛି । ସନ୍ଦିଗ୍ଧକୁ ଧରିବା ପରେ ତାକୁ ପୋଲିସର ଜିମା ଦେଇଛନ୍ତି ଲୋକେ । ପୋଲିସ ଏବେ ସନ୍ଦିଗ୍ଧକୁ ପଚରା ଉଚରା କରିବା ସହ ତା’ଠାରୁ ଜବତ ହୋଇଥିବା ମାରଣାସ୍ତ୍ରକୁ ଫରେନସିକ ଲାବ୍ ପଠାଯାଇଛି ।

ଅଟକ ଥିବା ସନ୍ଦିଗ୍ଧ ହାତରେ ରହିଛି ଛୁରୀ । ପାଗଳଙ୍କ ପରି ଚେହେରା । ହାତରେ ମାରଣାସ୍ତ୍ର ଥିବାରୁ ସାଇକୋ କିଲର ଭାବି ପୋଲିସ ଜିମା ଦିଆଯାଇଛି । ସନ୍ଦିଗ୍ଧ ପାଖରୁ ଅନ୍ୟ କିଛି ସାମଗ୍ରୀ ମଧ୍ୟ ଜବତ ହୋଇଛି । ସିଲଭର୍ ସିଟିରେ ତିନି ତିନି ଜଣଙ୍କୁ ହତ୍ୟା କରି ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିବା ଷ୍ଟୋନମ୍ୟାନକୁ ଗତ ୨୪ ତାରିଖରୁ ଖୋଜୁଥିଲା ପୋଲିସ୍ । ଧରିବା ପାଇଁ ଦିନ ରାତି ପାଟ୍ରୋଲିଂ କରିବା ସହ ସ୍ୱତନ୍ତ୍ର ଟିମ କରି ତଦନ୍ତ ଚଳାଇଥିଲା । ଏବେ ଦିନର ତନାଘନା ପରେ ସନ୍ଦିଗ୍ଧ ଧରାପଡ଼ିଛି । ହେଲେ ସନ୍ଦିଗ୍ଧ ବ୍ୟକ୍ତି ଜଣକ ସିଲଭର ସିଟରେ ଆତଙ୍କ ଘଟାଉଥିବା ନରପିଶାଚ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ ।

ସାଇକୋକିଲର ଜଣକ କିଛି ଦିନ ତଳେ କଟକରେ ତିନି ଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା । ପ୍ରଥମେ ଗତ ୨୩ତାରିଖ ଦିନ ମଙ୍ଗଳାବାଗ ଥାନା ରାଣୀହାଟ କେନାଲ ରୋଡ ନିକଟରେ ଥିବା ଏକ ଚାଦୋକାନ ନିକଟରୁ ଜଣଙ୍କ ମୃତ ଦେହ ମିଳିିଥିଲା । ଏହାର ୨୪ଘଂଟା ମଧ୍ୟରେ ସମାନ ଢ଼ଙ୍ଗରେ ଆଉ ଦୁଇ ଜଣ ନିରାଶ୍ରୟଙ୍କୁ ଓଏମପି ଓଭରବ୍ରିଜ୍ ତଳେ ଏବଂ ପାରଳା ମହାରାଜା ଉଦ୍ୟାନରେ ହତ୍ୟା କରାଯାଇଥିଲା । ୨୪ତାରିଖ ସକାଳୁ ମୃତଦେହ ଜବତ କରିଥିଲା ପୋଲିସ୍ । ଦୁଇ ଦିନରେ ତିନୋଟି ହତ୍ୟାକାଣ୍ଡ ଘଟିବାରୁ ଏହା ସାରା ରାଜ୍ୟରେ ତୀବ୍ର ଆଲୋଡନ ସୃଷ୍ଟି କରିଥିଲା । ପୋଲିସ ପାଟ୍ରୋଲିଂ ଭିତରେ ଗତକାଲି ରାତିରେ ପୁଣି ଜଣେ ମହିଳାଙ୍କ ଗଳା କାଟିଥିବା ଅଭିଯୋଗ ହୋଇଥିଲା । ଏହାରି ଭିତରେ ଅଟକ ରହିଛି ଜଣେ ସନ୍ଦିଗ୍ଧ ବ୍ୟକ୍ତି । ତେବେ ଧରାପଡ଼ିଥିବା ସନ୍ଦିଗ୍ଧ ସାଇକୋ କିଲର କି ନୁହେଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।