ଜମି ମାଫିଆଙ୍କ କବଜାରେ ଆଦିବାସୀଙ୍କ ସମ୍ପତ୍ତି :ସରକାରୀ ସହାୟତା ଯୋଗାଇ ଦେବା ନାଁରେ ଟିପ ଚିହ୍ନ ନେଇ ଦଲାଲ ବିକି ଦେଲେ ଜମି, ବାରିପଦାରୁ ଆସିଲା ଆଦିବାସୀ ଶୋଷଣର ସାଙ୍ଘାତିକ ଚିତ୍ର  

265

କନକ ବ୍ୟୁରୋ : ସରଳ ଆଦିବାସୀଙ୍କ ଜମିକୁ ଚଞ୍ଚକତା ପୂର୍ବକ ବିକ୍ରି କରୁଛନ୍ତି ଜମି ଦଲାଲ । ଏପରି ସାଙ୍ଘାତିକ ଖବର ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ପାଖ ଦେବେନ୍ଦ୍ରପୁର ଗାଁରୁ । ଚୈତନ୍ୟ ବେଶ୍ରା ନାମକ ଜଣେ ଆଦିବାସୀଙ୍କ ୬୭ ଡେସମିଲ ଜମିକୁ ଚଞ୍ଚକତା । କରି ଜମି ଦଲାଲ ଶ୍ରୀକାନ୍ତ ବେହେରା ଓ ସହଯୋଗୀ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଚୈତନ୍ୟଙ୍କ ନିରକ୍ଷରତାର ସୁଯୋଗ ନେଇ ସରକାରୀ ସହାୟତା ଯୋଗାଇଦେବା ବାହାନାରେ, ଟିପଚିହ୍ନ ନେଇ ପୈତୃକ ସମ୍ପତ୍ତ ଲୁଟିନେଇଛନ୍ତି ଜମି ଦଲାଲ ।

ଚୈତନ୍ୟଙ୍କ ୬୭ ଡିସମିଲ ଜମିକୁ ସହରର ୮ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି । ସରକାରୀ ମୂଲ୍ୟାୟନ ହିସାବରେ ୬୭ ଡିସମିଲ ଜମିକୁ ୭୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଦଲାଲମାନେ ଚୈତନ୍ୟଙ୍କୁ ଦେଇଛନ୍ତି ମାତ୍ର ଏକ ଲକ୍ଷ ଟଙ୍କା । ସରକାରୀ ନିୟମ କହୁଛି ଆଦିବାସୀଙ୍କ ୫ଏକରରୁ ଅଧିକ ଜମିନଥିଲେ ବିକ୍ରି କରିପାରିବେ ନାହିଁ । ତେଣୁ ଦଲାଲମାନେ ଚୈତନ୍ୟଙ୍କ ନାମରେ ବାରିପଦା ଠାରୁ ୮୦ କିମି ଦୂରରେ ନିମ୍ନମାନର ୫ ଏକର ଜମି କିଣି ରେଜିଷ୍ଟ୍ରେସନ କରିଛନ୍ତି । ଏନେଇ ଚୈତନ୍ୟ କିମ୍ବା ତାଙ୍କ ପରିବାର ପାଖରେ କୌଣସି ଖବର ନାହିଁ ।   

ଜମି ଦଲାଲ ଚଞ୍ଚକତା କରି ପୈତୃକ ସମ୍ପତ୍ତି ବିକ୍ରି କରୁଥିବା ଜାଣି ଚୈତନ୍ୟଙ୍କ ପୁଅ ନ୍ୟାୟ ପାଇଁ ପ୍ରଥମେ ବାରିପଦା ଟାଉନ ଥାନା ଓ ପରେ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଜମି ଦଲାଲଙ୍କ ନାଁରେ ଆଇପିସି ଧାରା ୨୯୪, ୪୨୦, ୪୬୮, ୪୭୧, ୫୦୬ ସହ ଏସସି ଏସଟି ଆକ୍ଟରେ ମାମଲା ରୁଜୁ ହୋଇଛି । ତେବେ ଜାନୁୟାରୀ ୨୫ରେ ପୁଲିସ ଉଭୟ ବାପ ପୁଅକୁ ଥାନାକୁ ଡକାଇ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହି ଜମି କିଣାବିକାରେ ରେଜିଷ୍ଟ୍ରେସନ ଅଫିସର ଅଧିକାରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣି କ୍ରାଇମବ୍ରାଂଚ ତଦନ୍ତ ଦାବି କରିଛନ୍ତି ଆଇନଜୀବୀ ।

ସରକାର ଆଦିବାସୀଙ୍କ ବିକାଶ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି । ଆଉ ସେହି ସରକାରୀ ସହୟତା ଯୋଗାଇଦେବା ବାହାନାରେ ଟିପ ଚିହ୍ନ ନେଇ ଜମି ଦଲାଲ ଆଦିବାସୀଙ୍କ ଜମିକୁ ଚଂଚକତା କରି ବିକ୍ରି କରିଦେବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ।