ବାରଣାସୀରେ ମୋଦିଙ୍କ ବିରୋଧରେ ଲଢ଼ିବେ କି ପ୍ରିୟଙ୍କା ? ୟୁପିରେ ରାଲି ବେଳେ ପ୍ରିୟଙ୍କାଙ୍କ ବଡ଼ ବୟାନ, କହିଲେ କଂଗ୍ରେସ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଲେ ବାରଣାସୀରୁ ଲଢ଼ିବେ ନିର୍ବାଚନ

120

କନକ ବ୍ୟୁରୋ : ବାରଣାସୀରେ ମୋଦିଙ୍କୁ ଟକ୍କର ଦେବେ କି ପ୍ରିୟଙ୍କା ଗାନ୍ଧୀ ? ଜୋର ଧରିଛି ଏହି ଚର୍ଚ୍ଚା । ପ୍ରିୟଙ୍କାଙ୍କ ଏକ ବୟାନ ପରେ ଏହି ସମ୍ଭାବନା ତେଜିଛି । ପୂର୍ବରୁ ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ ଭଦ୍ରା ମଧ୍ୟ ଏନେଇ ସଙ୍କେତ ଦେଇଥିଲେ । ପ୍ରିୟଙ୍କା କହିଛନ୍ତି ଯଦି କଂଗ୍ରେସ ଅଧ୍ୟକ୍ଷ ତଥା ଭାଇ ରାହୁଲ ଚାହିଁଲେ ସେ ମୋଦିଙ୍କ ବିରୋଧରେ ବାରଣାସୀରୁ ନିର୍ବାଚନ ଲଢ଼ିବେ । ବାରଣାସୀରୁ ଲଢ଼ିବାକୁ ସୁଯୋଗ ମିଳିଲେ ବହୁତ ଖୁସି ହେବେ ବୋଲି ପ୍ରିୟଙ୍କା କହିଛନ୍ତି । କେରଳ ୱାୟନାଡରେ ୨ଦିନ ପ୍ରଚାର କରି ୟୁପି ଫେରିଥିବା ପ୍ରିୟଙ୍କା କହିଛନ୍ତି ଯେ ସ୍ଥାନୀୟ କାର୍ଯ୍ୟକର୍ତ୍ତା ସେ ବାରଣାସୀ ଆସନରୁ ଲଢ଼ନ୍ତୁ ବୋଲି ଚାହୁଁଛନ୍ତି ।

ତେବେ ମୋଦିଙ୍କ ବିରୋଧରେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିବା ପୂର୍ବରୁ କଂଗ୍ରେସ କେତେକ ଆଭ୍ୟନ୍ତରୀଣ ସର୍ଭେ ଚଳାଇଛି । ବାରଣାସୀରେ ୨୦୧୪ରେ କଂଗ୍ରେସ ଅଜୟ ରାଓଙ୍କୁ ଟିକେଟ୍ ଦେଇଥିଲା । ବିଗତ ୫ବର୍ଷ ମଧ୍ୟରେ ଏହି ଆସନରେ ଦଳର ସାଂଗଠନିକ ସ୍ଥିତି ବିଶେଷ ଭଲ ନଥିବାବେଳେ ନିକଟରେ ପ୍ରିୟଙ୍କାଙ୍କ ନୌକା ଯାତ୍ରା ପରେ ସ୍ଥିତିରେ ସାମାନ୍ୟ ଉନ୍ନତି ହୋଇଛି । ଏଭଳି ସ୍ଥିତିରେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରାଯିବ କି ନାହିଁ, ସେ ନେଇ ଦଳୀୟ ନେତାଙ୍କ ମନ୍ଥନ ଜାରି ରହିଛି ।