ପ୍ରଥମ ରାଲିରେ ନା ନନେଇ ମୋଦିଙ୍କୁ କଟାକ୍ଷ ! ପ୍ରିୟଙ୍କା ଗାନ୍ଧୀ କହିଲେ, ଦେଶରେ ଘୃଣାର ମାହୋଲ ସୃଷ୍ଟି କରାଯାଉଛି

88

କନକ ବ୍ୟୁରୋ : ଗୁଜୁରାଟରେ ଆଜି ବିଶାଳ ଜନସଭା କରିଛି କଂଗ୍ରେସ । ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତିରେ ଲାଗିପଡିଛନ୍ତି । ଆଜି ଗୁଜରାଟ ଅହମ୍ମଦାବାଦରେ ବସିଛି କଂଗ୍ରେସ ୱାକିଂ କମିଟିର ବୈଠକ । ୫୮ ବର୍ଷ ପରେ ଗୁଜାରଟରେ କଂଗ୍ରେସ ଏହି ଶୀର୍ଷ ବୈଠକ ବସିଛି । ବୈଠକରେ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ମହାସଚିବ ଭାବେ ପ୍ରଥମ ଥର ପାଇଁ ପ୍ରିୟଙ୍କା ବୈଠକରେ ସାମିଲ ହୋଇଛନ୍ତି ।

କଂଗ୍ରେସ ମହାସଚିବ ହେବା ପରେ ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ପାଇଁ ରାଲିରେ ଉଦବୋଧନ ଦେଇଛନ୍ତି । ପାଖାପାଖି ସାଢ଼େ ୭ ମିନିଟର ଭାଷଣଷର ପ୍ରିୟଙ୍କା ହୃଦୟର କଥା କହିବା ସହ ମୋଦି ସରକାରଙ୍କୁ କଡ଼ା କଟାକ୍ଷ କରିଛନ୍ତି । ବେକାରଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇ ୨୦୧୪ରେ କ୍ଷମତା ଅକ୍ତିଆର କରିଥିବା ପ୍ରଧାନମନ୍ତ୍ରୀ ମୋଦି ଦେଶର ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ନିଜ ଭାଷଣରେ ପ୍ରିୟଙ୍କା ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ଦେଶ ସମ୍ମୁଖରେ ରହିଥିବା ଆହ୍ଵାନ ସବୁକୁ ଦର୍ଶାଇବା ସହ ଦେଶ ଏବେ ଏକ ଘଡ଼ିସନ୍ଧି ବେଳ ଦେଇ ଗତି କରୁଥିବା କହିଛନ୍ତି ।

ଏପରିସ୍ଥିତିରେ ସବୁ ଦିଗକୁ ବିଚାରକୁ ନେଇ ନିଜର ବହୁମୂଲ୍ୟ ଭୋଟ ଦେବାକୁ ଭୋଟରମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରିୟଙ୍କା । କାରଣ, ଭୋଟରମାନେ କେବଳ ଦଳ କିମ୍ବା ନେତାମାନଙ୍କୁ ନିର୍ବାଚିତ କରିବେ ନାହିଁ ବରଂ ନିଜର ବହୁମୂଲ୍ୟ ଭୋଟ ଜରିଆରେ ସେମାନଙ୍କର ଆଗାମୀ ଭବିଷ୍ୟତକୁ ମଧ୍ୟ ନିର୍ଦ୍ଧାରଣ କରିବେ ବୋଲି ସତର୍କ କରାଇ ଦେଇଛନ୍ତି ପ୍ରିୟଙ୍କା । ଏକ ସମୟରେ ନିଜର ଶାନ୍ତି, ସୌହାର୍ଦ୍ଦ୍ୟ ଓ ଭାଇଚାରା ପାଇଁ ସମଗ୍ର ଦେଶରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା  ଆମ ଦେଶ ଭାରତରେ ଆଜିର ପରିବର୍ତ୍ତିତ ପରିସ୍ଥିତିରେ ଯାହା ସବୁ ଘଟୁଛି, ତାହା ଅତ୍ୟନ୍ତ ବେଦନା ଦାୟକ ବୋଲି କହିଛନ୍ତି ପ୍ରିୟଙ୍କା ।