ଶୂନ୍ୟକାଳରେ ଗୃହରେ ଉଠିଲା ଘରୋଇ ହସ୍ପିଟାଲର ଶୋଷଣ ପ୍ରସଙ୍ଗ : ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ବାଚସ୍ପତି

139

କନକ ବ୍ୟୁରୋ : ଘରୋଇ ହସ୍ପିଟାଲରେ ମନମୁଖୀ କାମ ଚାଲିଛି । ସାଧାରଣ ଲୋକ ହଇରାଣ ହନ୍ତସନ୍ତ ହେଉଛନ୍ତି । ଟଙ୍କା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ମାନବିକତା ହରାଇ ବସୁଛନ୍ତି । ରୋଗୀଙ୍କ ଅବସ୍ଥାକୁ ଅଣଦେଖା କରି ଟଙ୍କା ଆଦାୟ କରିବାରେ ଲାଗିପଡ଼ିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଘରୋଇ ହସ୍ପିଟାଲରେ ହେଉଥିବା ଶୋଷଣ ପ୍ରସଙ୍ଗରେ ଆଜି ଶୂନ୍ୟକାଳରେ ସୃଷ୍ଟି ହୋଇଛି । ଟଙ୍କା ନଦେଲେ ରୋଗୀଙ୍କ ମର ଶରୀରକୁ ହସ୍ପିଟାଲ କର୍ତ୍ତୃପକ୍ଷ ଛାଡୁନଥିବା ପ୍ରସଙ୍ଗ ଶୂନ୍ୟକାଳରେ ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଅଫିସର ସ୍ତରୀୟ କମିଟି ଗଠନ କରି ଏଭଳି ସମସ୍ୟାର ସମାଧାନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ଏପଟେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଯାଇଛି । ଲିଖିତ ଅଭିଯୋଗ ଉପରେ ସ୍ୱାସ୍ଥ୍ୟ ବିଭାଗରେ ଏକ ସ୍ୱତନ୍ତ୍ର କମିଟି ଗଠନ ହୋଇଛି । କମିଟି ପ୍ରଥମେ ରିପୋର୍ଟ ଦାଖଲ କରିବ । ଆଉ ତା’ପରେ ଆଇନ୍ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ୱାସ୍ଥ୍ୟ ବିଭାଗକୁ ଯଦି କୌଣସି ସାଧାରଣ ଲୋକ ମଧ୍ୟ ଅଭିଯୋଗ କରୁଛି, ସମସ୍ୟାର ତୁରନ୍ତ ସମାଧାନ କରାଯିବ । ବ୍ୟକ୍ତିଗତ ଅଭିଯୋଗ ଆଧାରରେ ମଧ୍ୟ ତଦନ୍ତ ହେଉଛି । ଲୋକଙ୍କ ସେବାପାଇଁ ସରକାର ସବୁବେଳେ ଚେଷ୍ଟାରତ ।

ଏହା ବ୍ୟତୀତ ଆଜି ବିଧାନସଭାରେ ମାଲକାନଗିରି ପ୍ରସଙ୍ଗ ଉଠିଛି । ଦାରିଦ୍ର‌୍ୟ ଯନ୍ତ୍ରଣାରେ ଅତିଷ୍ଠ ହୋଇ ନିଜର ଦୁଇ ଛୁଆକୁ ବିଷ ପିଆଇ ନିଜେ ଆତ୍ମହତ୍ୟା କରିବା ଘଟଣା ସଂପର୍କରେ ଆଜି ବିଧାନସଭା ଶୂନ୍ୟକାଳରେ ଉଠାଇଛନ୍ତି ମାଲକାନଗିରି ବିଧାୟକ ଆଦିତ୍ୟ ମାଡି । ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ର । ଏହି ଘଟଣାର ତଦନ୍ତ କରିବେ ମାଲକାନଗିରି ଜିଲ୍ଲାପାଳ ଏବଂ ତଦନ୍ତ କରି ରାଜସ୍ୱ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।