କନକ ବ୍ୟୁରୋ : ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିଲେ ମଧ୍ୟ ବନ୍ୟା ସ୍ଥିତିରେ ସୁଧାର ଆସିଛି । ବନ୍ୟା ଦାଉରେ ମାଲକାନଗିରି, ଗଜପତି, ରାୟଗଡା, କୋରାପୁଟରେ କ୍ଷତି ହୋଇଥିବା ସରକାରୀ ଭାବେ କୁହାଯାଇଛି । ଝାରସୁଗୁଡା, କଳାହାଣ୍ଡି ଓ ବଲାଙ୍ଗିରରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ୫ଟି ଜିଲ୍ଲାରେ ୧୦୦ ମିଲିମିଟର ବର୍ଷା ହୋଇଛି । ଥୁଆମୂଳରାମପୁର ଓ କର୍ଲାମୁଣ୍ଡାରେ ସବୁଠାରୁ ଅଧିକ ୩୦୦ ମିଲିମିଟର ବର୍ଷା ହୋଇଛି । ରାଜ୍ୟ ସରକାର ବନ୍ୟା ଅଂଚଳରେ ପୁରା ନଜର ରଖିଛନ୍ତି । ଏହି ଅଂଚଳକୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ।
କୋରାପୁଟ ଓ ମାଲକାନଗିରିରେ ବନ୍ୟା ସ୍ଥିତି ସୁଧୁରୁଛି । ତେବେ କୋରାପୁଟର ୨ଟି ପଂଚାୟତ ବାହ୍ୟ ଜଗତରୁ ବିଛିନ୍ନ ରହିଥିଲା, କିନ୍ତୁ ଏବେ ସ୍ଥିତି ସୁଧୁରିଛି । ବନ୍ୟାରେ ଭାସି ଯାଇ ତୁମୁଡିବନ୍ଧ ଓ କୋଟଗଡ ବ୍ଲକର ୨ ଜଣ ଲୋକ ନିଖୋଜ ରହିଛନ୍ତି । ମାଲକାନଗିରିର ୬ଟି ବ୍ଲକର ମୋଟ୍ ଉପରେ ୨ ହଜାର ୭୨ ଜଣ , ସେହିପରି କଳାହାଣ୍ଡିର ୧୬୪ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେହିପରି ରାୟଗଡାରେ ୩ ହଜାର ୧୨୮ ଜଣଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ । ବନ୍ୟାଂଚଳକୁ ବିଭିନ୍ନ ଟିମ୍ ଯଥା ଓଡ୍ରାଫ୍ ଟିମ୍, ଅଗ୍ନିଶମ ବାହିନୀ, ମେଡିକାଲ୍ ଟିମ୍ ପଠାଯାଇଛି ।