ହତ୍ୟାକାଣ୍ଡରୁ ପରଦା ହଟିଲା : ସିନ୍ଦୁର ମାଗିବାରୁ କଳ୍ପନାଙ୍କୁ ହତ୍ୟା କରିଥିଲେ ଅନୁପ ସାଏ, ଲୁହା ଛଡରେ ପିଟିପିଟି ମାରିବା ପରେ ଚଢ଼ାଇ ଦେଇଥିଲେ ଗାଡ଼ି

1,145

କନକ ବ୍ୟୁରୋ : ଖୋଲିଲା ହତ୍ୟାର ରହସ୍ୟ । ୨୦୧୬ରେ ଘଟିଥିବା ହତ୍ୟାକାଣ୍ଡରୁ ପରଦା ଉଠାଇଲେ ନିଜେ ଅଭିଯୁକ୍ତ ତଥା ଝାରସୁଗୁଡ଼ା ଜିଲ୍ଲାର ଟାଣୁଆ ଚେହେରା ଅନୁପ ସାଏ । ବ୍ରଜରାଜନଗର ୩-୩ ଥର ବିଧାୟକ ଥିବା ଅନୁପ ସାଏ ପରକୀୟା ପ୍ରୀତି ପାଇଁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ସିନ୍ଦୁର ଦେବାକୁ କହି ଜଙ୍ଗଲରେ ହିଁ କଳ୍ପନାଙ୍କୁ ରାସ୍ତାରୁ ସଫା କରିଦେଇଥିଲେ ଅନୁପ ସାଏ । ଗିରଫ ପରେ ଆଜି ଛତି଼ଶଗଡ଼ ପୋଲିସ୍ ହତ୍ୟାକାଣ୍ଡ ନେଇ ପ୍ରେସମିଟ୍ କରିଛି ।

ଖୋଲୁଛି ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରକୀୟା ପ୍ରୀତି ଓ ବୀଭତ୍ସ ହତ୍ୟାକାଣ୍ଡର ରହସ୍ୟ । ଅନୁପଙ୍କୁ ଗିରଫ କରିବା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଛତିଶଗଡ ପୋଲିସ କହିଛି ଅନୁପ ହିଁ ନିଜେ କଳ୍ପନା ଓ ତାଙ୍କ ଝଅକୁ ହତ୍ୟା କରିଥିଲେ । ଉଭୟଙ୍କୁ ପ୍ରଥମେ ଏକ ଲୁହା ରଡରେ ପିଟିବା ପରେ ବୋଲେରୋ ଗାଡି ଚଢ଼ାଇ ଦେଇଥିଲେ । ଏପରିକି ଏହାକୁ ନିଜେ ଅନୁପ ସ୍ୱୀକାର କରିଥିବା ଜଣାପଡିଛି । ପୋଲିସର ସୂଚନା ଅନୁଯାୟୀ ୨୦୦୫ରେ ମୃତ କଳ୍ପନାଙ୍କୁ ତାଙ୍କ ସ୍ୱାମୀ ଛାଡପତ୍ର ଦେଇଥିଲେ । ଏହି ସମୟରେ କଳ୍ପନା ସହ ଅନୁପଙ୍କ ସମ୍ପର୍କରେ ଆସିଥିଲେ । ଏବଂ ଧୀରେ ଧୀରେ କଳ୍ପନା ଓ ଅନୁପଙ୍କ ସମ୍ପର୍କ ବଢ଼ିଥିଲା । ସେହି ସମୟରେ ଅନୁପ ବିଧାୟକ ଥିବାରୁ ସେ ଭୁବନେଶ୍ୱରର ସୁନ୍ଦରପଦା ଅଂଚଳରେ ରହୁଥିଲେ । ଏବଂ ତାଙ୍କ ସାଙ୍ଗରେ କଳ୍ପନା ରହୁଥିଲେ ।

କଳ୍ପନା ବିବାହ ପାଇଁ ଜିଦ୍ ଧରିବାରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା । ପୂର୍ବରୁ ଅନୁପଙ୍କର ପରିବାର ଥିବାରୁ ସେ କଳ୍ପନାଙ୍କୁ ବାଟରୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିଲେ । ଯୋଜନା ପୂର୍ବକ କଳ୍ପନାକୁ ରାୟଗଡ ନେବା ବାଟରେ ତାଙ୍କୁ ଓ ତାଙ୍କ ଝିଅକୁ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ମୃତ ଦେହକୁ ଏଭଳି ବିକୃତ କରିଥିଲେ ଯେ ଚିହ୍ନଟ କରିବା ପାଇଁ ପୋଲିସକୁ ଗୋଟିଏ ବର୍ଷ ଲାଗି ଯାଇଥିଲା । ଆଉ ମୃତକଙ୍କ କଲ ଡିଟେଲ୍ସ ଯାଂଚରୁ ଅନୁପ ସନ୍ଦେହ ଘେରକୁ ଆସିଥିଲେ । ତାପରେ ଅନୁପଙ୍କ ଉପରେ ଦୀର୍ଘ ଦିନ ଧରି ନଜର ରଖିଥିଲା ଛତିଶଗଡ ପୋଲିସର ଏକ ସାଇବର ଟିମ୍ ।

ଆଉ ପ୍ରମାଣ ପାଇବା ପରେ ବୁଧବାର ଅନୁପଙ୍କୁ ଉଠାଇ ନେଇଥିଲା ଛତିଶଗଡ ପୋଲିସ । ଆଉ ଗତକାଲି ଦିନ ତମାମ ପଚରାଉଚରା ପରେ ତାଙ୍କୁ ଗିରଫ କରିଛି । ୨୦୧୬ରେ ଝାରସୁଗୁଡା – ଛତିଶଗଡ ସୀମାରେ କଳ୍ପନା ଓ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିଲା । ସେବେଠୁ ଏହି ହତ୍ୟାକାଣ୍ଡର ଖୋଳତାଡ କରୁଥିଲା ଛତିଶଗଡ ପୋଲିସ । ତେବେ ଏହି ହତ୍ୟାକାଣ୍ଡ ପଛରେ ଆଉ କେହି ରହିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ଅନୁପ ସାଏଙ୍କୁ ଗିରଫ କରିବା ପରେ ତାଙ୍କ ବିରୋଧରେ ହତ୍ୟା, ହତ୍ୟା ପାଇଁ ଷଡଯନ୍ତ୍ର ଓ ତଥ୍ୟ ପ୍ରମାଣ ନଷ୍ଟ ଭଳି ସଙ୍ଗୀନ ଦଫା ଲଗାଇଛି ପୋଲିସ । ତାଙ୍କ ବିରୋଧରେ ୩୦୨, ୧୨୦ ବି, ଓ ୨୦୧ ଦଫା ଲଗାଇଛି ଛତିଶଗଡ ପୋଲିସ୍ ।