ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଶେଷ : ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

328

କନକ ବ୍ୟୁରୋ : ଶେଷ ହେଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ କରି ରବିବାର ସନ୍ଧ୍ୟାରେ ଦିଲ୍ଲୀ ଫେରିଯାଇଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ସନ୍ଧ୍ୟା ୫ଟା ୨୦ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଧାସଳଖ ଦିଲ୍ଲୀ ଫେରିଛନ୍ତି ।

ଓଡ଼ିଶା ଗସ୍ତ ଶେଷ ହେବା ପରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି । ରାଷ୍ଟ୍ରପତିଙ୍କ ବିଦାୟ ସମୟରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଖୋର୍ଦ୍ଧା ନିକଟ ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କରିଥିଲେ । ସେହିପରି ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ଯୋଗଦେଇଥିଲେ ।