ଆବଶ୍ୟକ ପଡିଲେ ପୁଣି ହେବେ ଏୟାର ଷ୍ଟ୍ରାଇକ୍ : ପାକିସ୍ତାନ ଓ ଚୀନକୁ କଡା ଚେତାବନୀ ଦେଲେ ନୂଆ ବାୟୁସେନା ମୁଖ୍ୟ, ଉଭୟ ଦେଶ ପାଇଁ ଭାରିପଡିବ ରାଫେଲ ଯୁଦ୍ଧ ବିମାନ

716

କନକ ବ୍ୟୁରୋ : ଏୟାର ମାର୍ଶାଲ ରାକେଶ କୁମାର ସିଂହ ଭଦୋରିଆ ବାୟୁସେନାର ମୁଖ୍ୟଭାବେ ଦାୟିତ୍ୱ ନେଇଛନ୍ତି । ଆଜି ଏୟାର ଚିଫ ମାର୍ଶାଲ ବିଏସ୍ ଧନୱାଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରୁ କରୁ ସେ ପାକିସ୍ତାନ ଓ ଚୀନକୁ ଚେତାବନୀ ଦେଇଛନ୍ତି । ଦେଶର ସୁରକ୍ଷା ପ୍ରତି ଆସୁଥିବା ଯେ କୌଣସି ପ୍ରକାରର ବିପଦ ଓ ଆହ୍ଵାନର ମୁକାବିଲା କରିବା ପାଇଁ ଭାରତୀୟ ବାୟୁସେନା ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ।

ନୂଆ ବାୟୁସେନା ମୁଖ୍ୟ କହିଛନ୍ତି, ରାଫେଲ ଯୁଦ୍ଧ ବିମାନ ପାକିସ୍ତାନ ଓ ଚୀନ ଉପରେ ଭାରି ପଡିବ । ସେହିପରି ବାଲାକୋଟ ଏୟାର ଷ୍ଟ୍ରାଇକରେ ନଷ୍ଟ ହୋଇ ଯାଇଥିବା ଜୈସ୍ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ ଆଉ ଥରେ ସକ୍ରିୟ ହୋଇ ଉଠିଥିବା ପ୍ରସଙ୍ଗରେ କହିଛନ୍ତି, ଆବଶ୍ୟକତା ଉପୁଜେ ତେବେ ବାଲାକୋଟ୍ ସଦୃଶ ଆଉ ଏକ ଏୟାର ଷ୍ଟ୍ରାଇକ୍ କରିବା ପାଇଁ ଭାରତୀୟ ବାୟୁସେନା ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ।

ରାକେଶ କୁମାର ସିଂହ ରାଫେଲ ସହ ୨୬ ପ୍ରକାରର ଲଢୁଆ ବିମାନ ଉଡାଇସାରିଛନ୍ତି । ନିକଟରେ ୨୬ଟି ରାଫେଲ ବିମାନ ପାଇଁ ଚୁକ୍ତି ହୋଇଥିବା ଟିମରେ ଭଦୋରିଆ ସାମିଲ ଥିଲେ । ରାଫେଲ ଫାଇଟର ଜେଟ୍ ଉଡାଇବାରେ ସେ ହେଉଛନ୍ତି ବାୟୁସେନାର ପ୍ରଥମ ପାଇଲଟ । ୪ ହଜାର ୨ଶହ ୫୦ ଘଂଟା ଯାଏ ଫାଇଟର ବିମାନ ଓ ଟ୍ରାନ୍ସପୋର୍ଟ ଏୟାରକ୍ରାଫଟ ଉଡାଇବାର ସେ ଅଭିଜ୍ଞତା ରଖିଛନ୍ତି ।

ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ ଓ ବାୟୁ ସେବା ମେଡାଲ ମିଳିସାରିଛି । ୧୯୮୦ ମସିହାରେ ଭଦୋରିଆ ତାଙ୍କର କ୍ୟାାରିଆର ଆରମ୍ଭ କରିଥିଲେ । ପୁନେର ନ୍ୟାସନାଲ ଡିଫେସନ୍ସ ଏକାଡେମୀରୁ ତାଲିମ ନେଇଛନ୍ତି ଭଦୋରିଆ । ଏହାଛଡା ବାଂଲାଦେଶର କମାଣ୍ଡ ଓ ଷ୍ଟାଫ କଲେଜରୁ ଡିଫେନ୍ସ ଷ୍ଟଡିଜରେ ସେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ନିଜର ଚାକିରୀକାଳରେ ଭଦୋରିଆ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି ।