କନକ ବ୍ୟୁରୋ : ଏସ୍ସିବିରେ ଦିନକୁ ୩୦ରୁ ଅଧିକ ରୋଗୀଙ୍କ ଜୀବନ ଯାଉଛି। ହେଲେ ଘରକୁ ଶବ ନେବା ପାଇଁ ସଂପର୍କୀୟଙ୍କୁ ମିଳୁନି ଗାଡ଼ି। ସରକାରଙ୍କ ମହାପ୍ରୟାଣ ଗାଡ଼ି ମାତ୍ର ୩ଟି ଥିବାରୁ ଏହା ଲୋକଙ୍କୁ ମିଳି ପାରୁନି । ଫଳରେ ସମ୍ପର୍କୀୟମାନେ ବାଧ୍ୟହୋଇ ଅଧିକ ଟଙ୍କା ଦେଇ ଘରୋଇ ଶବବାହାକ ଗାଡ଼ିରେ ଶବ ନେଉଛନ୍ତି । ଏପଟେ ସଂପର୍କୀୟଙ୍କ ମୃତ୍ୟୁର ଦୁଃଖ, ତ ଅନ୍ୟପଟେ ଅଧିକ ଟଙ୍କା ନଦେଲେ ଶବ ନେବାକୁ ରାଜି ହେଉନାହାନ୍ତି ଘରୋଇ ଗାଡ଼ିଚାଳକ। ଏଭଳି ସ୍ଥିତିରେ ଅନେକ ସମୟରେ ଅର୍ଥାଭାବରୁ ଭିଟାମାଟିରେ ପହଞ୍ଚିପାରୁନି ଶବ । ଏହାକୁ ଦୃଷ୍ଟିରେ ରଖି କଟକ ବଡ଼ ଡାକ୍ତରଖାନାରେ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି ନୂଆ ଯୋଜନା ।
ପ୍ରିପେଡ୍ ଅଟୋ ସେବା ଭଳି ଏଣିକି ଏସ୍ସିବିରେ ଆରମ୍ଭ ହେବ ପ୍ରିପେଡ୍ ଆମ୍ବୁଲାନ୍ସ ଓ ଶବବାହକ ଗାଡ଼ି ସେବା । ଗାଡ଼ି ମାଲିକମାନେ ଏସ୍ସିବି ସହ ସହବନ୍ଧିତ ହେବେ ଓ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସେମାନଙ୍କୁ ଭଡ଼ା ମିଳିବ । ଶବ ନେବା ପାଇଁ ସଂପର୍କୀୟ ଏସ୍ସିବି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବା ପରେ ତୁରନ୍ତ ଗାଡ଼ି ମାଲିକଙ୍କୁ ଫୋନ୍ରେ ସୂଚନା ଦିଆଯିବ ଓ ରୋଗୀର ଶବ ଯେଉଁ ୱାର୍ଡ ବା ବ୍ୟବଚ୍ଛେଦ ସ୍ଥଳରେ ଥିବ ସେଠାରେ ପହଞ୍ଚି ଉକ୍ତ ଗାଡ଼ିଚାଳକ ଶବ ଠିକଣା ସ୍ଥାନରେ ପହଞ୍ଚାଇବେ । ସେମାନେ ଧାର୍ଯ୍ୟ ସରକାରୀ ମୂଲ୍ୟଠାରୁ ଅଧିକ ଟଙ୍କା ମଧ୍ୟ ସଂପର୍କୀୟଙ୍କ ଠାରୁ ନେଇପାରିବେ ନାହିଁ । ସେଭଳି ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ତିନୋଟି ଫର୍ମ କରାଯିବା ଯାହା ଭିତରୁ ଗୋଟିଏ ମୃତକଙ୍କ ସଂପର୍କୀୟଙ୍କ ପାଖରେ, ଗୋଟିଏ ଗାଡ଼ି ଚାଳକଙ୍କ ପାଖରେ ଓ ତୃତୀୟଟି ଏସ୍ସିବି-ପୁଲିସ ପାଖରେ ରହିବ। ଆମ୍ବୁଲାନ୍ସ ପାଇଁ ମଧ୍ୟ ସମାନ ବ୍ୟବସ୍ଥା କରାଯିବ ବୋଲି ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ କାନ୍ତ ସାହୁ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ନୂଆ ଯୋଜନାରେ କଟକ ବଡ଼ ଡାକ୍ତରଖାନାରେ ଖୋଲିବ ଏକ ସ୍ବତନ୍ତ୍ର କାଉଣ୍ଟର ବା ଜନସଂପର୍କ କାର୍ଯ୍ୟାଳୟ । ଏଥିପାଇଁ ୧୮୦୦୩୪୫୯୫୯୫କୁ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍ ନମ୍ବର ରଖାଯାଇଛି। ଏହାକୁ ଖୁବ୍ଶୀଘ୍ର ଲୋକର୍ପିତ କରାଯିବାର ଯୋଜନା ରହିଛି। ଏହି କଣ୍ଟ୍ରୋଲ ରୁମ୍ ଲୋକାର୍ପଣ ପରେ ପ୍ରିପେଡ୍ ଆମ୍ବୁଲାନ୍ସ ଓ ଶବବାହାକ ଗାଡ଼ି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ । ଏହି ବ୍ୟବସ୍ଥା ଆରମ୍ଭ କରାଯିବା ନେଇ ତାରିଖ ସ୍ପଷ୍ଟ କରାଯାଇ ନଥିଲେ ବି ଏ ସଂପର୍କରେ ଆଲୋଚନା ସରିଛି ଓ ଖୁବ୍ଶୀଘ୍ର ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ଏସ୍ସିବି ପରିସରରେ ବେଆଇନ ପାର୍କିଂ ସମସ୍ୟା ବଢ଼ାଉଥିବାରୁ ଏହାକୁ ନେଇ ଅନେକ ଯୋଜନା ହାତକୁ ନିଆଯାଇଛି। କିନ୍ତୁ ବେଆଇନ ପାର୍କିଂ ହଟିପାରୁନି। ଏମିତି ସ୍ଥିତି ଉପୁଜୁଛି ଯେ, ଆମ୍ବୁଲାନ୍ସ ମଧ୍ୟ ଏସ୍ସିବି ମୁଖ୍ୟ ଫାଟକରୁ କାଜୁଆଲିଟିକୁ ପହଞ୍ଚିବାକୁ ଢେର୍ ସମୟ ଲାଗୁଛି। ଘଣ୍ଟା ଘଣ୍ଟା ଧରି ଜାମ୍ ରହୁଛି ଏସ୍ସିବି କ୍ୟାମ୍ପସ। ଏସ୍ସିବି ପରିସରରେ କରାଯାଉଥିବା ବେଆଇନ ପାର୍କିଂ ଓ ଜବରଦଖଲ ନେଇ ସିଏମ୍ସି ପକ୍ଷରୁ ମଧ୍ୟ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଉଛି ବୋଲି ଜଣାପଡ଼ିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/1e51785b1d9c928f038ed0ea93dcc8fc_XL.jpg)