ନିର୍ଦ୍ଦେଶ ପରେ ବି ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ସନ୍ତାନ ଜନ୍ମପରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଜୀବନ ହାରିଲେ ପ୍ରସୂତି

188

କନକ ବ୍ୟୁରୋ : ହସ୍ପିଟାଲ୍‌ ପାଖରେ ଦୁଇ ଦୁଇଟି ଆମ୍ବୁଲାନ୍ସ ରହିଥିଲା । କିନ୍ତୁ ନିର୍ଦେଶ ନ ମିଳିବାରୁ କେହି ବାହାରିଲେନି । ସନ୍ତାନ ଜନ୍ମ କରି ରକ୍ତସ୍ରାବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚି ନ ପାରି ମୃତ୍ୟୁବରଣ କଲେ । ନବଜାତ ଶିଶୁ ମା’ ଛେଉଣ୍ଡ ହେଲା । ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡର ଗୁରୁଣ୍ଡିଆରେ । ଏହି ଘଟଣା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଘଟଣାଟି ଆମ ସରକାରୀ ନୀତି ନିୟମ ଭିତରେ ଥିବା ତ୍ରୁଟିକୁ ସ୍ପଷ୍ଟ ପ୍ରମାଣିତ କରିଛି ।

ଗୁରୁଣ୍ଡିଆ ବ୍ଲକ୍‌ ଅନ୍ତର୍ଗତ କୁଣ୍ଢେଇଡିହା ଗ୍ରାମର କସ୍ତୁରୀ ଦଣ୍ଡସେନା (୨୮) ଗତ ଶୁକ୍ରବାର ସଂଧ୍ୟା ସାଢେ ୬ଟା ବେଳେ ଗୁରୁଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପ୍ରସବ ପରେ ମହିଳାଙ୍କର ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଅଧିକ ଚିକିତ୍ସା‌ ପାଇଁ ତାଙ୍କୁ ରାଉରକେଲା ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଅଧିକାଂଶ ଦିନ ଭଳି ସେଦିନ ମଧ୍ୟ ଗୁରୁଣ୍ଡିଆରେ ମୋବାଇଲ୍ ନେଟ୍‌ୱର୍କ ନ ଥିବାରୁ ୧୦୮ କିମ୍ବା ୧୦୨ ଗାଡ଼ି ସହିତ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା ।

କିନ୍ତୁ ଗୁରୁଣ୍ଡିଆ ହସ୍ପିଟାଲ ନିକଟରେ ୧୦୨ ଓ ୧୦୮ ଗାଡ଼ି ଛିଡ଼ା ହୋଇଥିବା ଦେଖି ମହିଳାଙ୍କ ସମ୍ପର୍କୀୟମାନେ ସେମାନଙ୍କୁ ରାଉରକେଲା ଯିବାକୁ ଅନୁରୋଧ କରିଥିଲେ । କିନ୍ତୁ ଫୋନ୍ ନ ଆସିବା ପର୍ଯ୍ୟନ୍ତ ଗାଡି ହଲିବ ନାହିଁ ବୋଲି ରୋକ୍‌ଠୋକ୍ ମନା କରିଦେଇଥିଲେ । ବେସରକାରୀ ଗାଡ଼ି‌ରେ ମହିଳାଙ୍କୁ ରାଉରକେଲା ନେବାବେଳକୁ ବିଳମ୍ବ ହୋଇଥିଲା । ପ୍ରାୟ ୪ ଘଣ୍ଟା ପରେ ରାଉରକେଲାରେ ରୋଗୀ ପହଞ୍ଚି ଚିକିତ୍ସା କରାଯାଇଥିଲା । କିନ୍ତୁ ମାତ୍ର ଅଳ୍ପ ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ସଦ୍ୟଜାତ ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି ।