କୋରାପୁଟରୁ ଆସିଲା ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର : ଡାକ୍ତରଖାନାକୁ ଭାରାରେ ବୁହା ହୋଇ ଆସୁଥିଲେ ଗର୍ଭବତୀ, ନଦୀ ପାର ହେବା ପରେ ବାଟରେ ଜନ୍ମ ଦେଲେ ଶିଶୁକନ୍ୟା 

133

କନକ ବ୍ୟୁରୋ : ରାଜ୍ୟରେ ସ୍ୱାସ୍ଥ୍ୟସେବା ପାଇଁ ସରକାର କରିଛନ୍ତି ଅନେକ ଯୋଜନା । ହେଲେ ଏହା ତ୍ରୁଣମୂଳ ସ୍ତରରେ କେତେ ଦୂର ପହଁଚି ପାରିଛି ତାହା ଏହି ଚିତ୍ର ହିଁ ପ୍ରମାଣ କରୁଛି । ଭାରରେ ନଦୀ ପାର ହେଉଛନ୍ତି  ଗର୍ଭବତୀ ମହିଳା । ପାହାଡ ଜଙ୍ଗଲ ପାର ହୋଇ ଗ୍ରାମବାସୀଙ୍କ କାନ୍ଧରେ ଭାରରେ ବୁହା ହୋଇ ଆସୁଛନ୍ତି ଗର୍ଭବତୀ ମହିଳା ଜଣକ । ଭାର ବୋହୁଛନ୍ତି ଗ୍ରାମବାସୀ । ପାଖରେ ଅଛନ୍ତି ସ୍ଥାନୀୟ ମହିଳା ଓ ଆଶାକର୍ମୀ । ପାଣି ଭିତରେ କିଏ ଗର୍ଭବତୀଙ୍କୁ ଟେକି ଦେଉଛି ତ କିଏ ଗୋଡ ଟେକି ଧରୁଛି । ଏମିତି ଅବସ୍ଥାରେ ଭାରାରେ ବୁହା ହୋଇ ଆସିବା ବେଳେ ବାଟରେ ଜନ୍ମ ଦେଇଥିଲେ ଶିଶୁ କନ୍ୟାକୁ । ରାଜ୍ୟରେ ସ୍ୱାସ୍ଥ୍ୟସେବାର ଏପରି ଏକ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଘାଟଗୁଡା ଗ୍ରାମରୁ ।

ଗର୍ଭବତୀଙ୍କ ନାଁ ଧବେନ ମୁଦୁଲି । ସମୟ ଆଗରୁ ତାଙ୍କର ଆରମ୍ଭ ହୋଇଥିଲା ପ୍ରସବ ବେଦନା । ସ୍ଥାନୀୟ ଆଶାକର୍ମୀଙ୍କ ସହାୟତାରେ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ଏହା ନଥିବାରୁ ୧୦୮ ଗାଡିକୁ ଯୋଗା ଯୋଗ କରାଯାଇଥିଲା । ଏହା ଆସିଥିଲା । ହେଲେ ଗାଁ କୁ ରାସ୍ତା ନଥିବାରୁ ରହିଯାଇଥିଲା ଗାଁ ଠାରୁ ୧ କିଲୋମିଟର ଦୂରରେ । କୌଣସି ବାଟ ନପାଇ ଶେଷରେ ଧବେନଙ୍କୁ ତାଙ୍କର ସ୍ୱାମୀ ଗ୍ରାମବାସୀଙ୍କ ସହାୟତାରେ ପାହାଡ ଚଢି ଭାରାରେ ବୋହି ଆଣିଥିଲେ ଡାକ୍ତରଖାନା । ବାଟରେ ପଡିଥିଲା ମୁରାନ ନଦୀ । ନଦୀ ଅତିକ୍ରମ କରିବା ପରେ ଧବେନଙ୍କର ଯନ୍ତ୍ରଣା ଅଧିକ ହୋଇଥିଲା । ଶେଷରେ ସେ ବାଟରେ ଜଙ୍ଗଲରେ ଜନ୍ମ ଦେଇଥିଲେ ଶିଶୁ କନ୍ୟାଟିଏ ।