ବିକାଶର ନଗ୍ନ ଚିତ୍ର : ଗାଁକୁ ରାସ୍ତା ନାହିଁ, ଆସି ପାରୁନି ଅଟୋ ଓ ଆମ୍ବୁଲାନ୍ସ, ପୁଣି ଭାରରେ ବୁହାହେଲେ ପ୍ରସୂତି 

210

କନକ ବ୍ୟୁରୋ : ପୁଣି ଭାରରେ ବୁହାହେଲେ ଗର୍ଭବତୀ । ସ୍ୱାଧୀନତାର ୭୨ବର୍ଷ ପରେ ମଧ୍ୟ ପ୍ରସୂତିମାନଙ୍କୁ ଧାନ ବିଲ ହିଡ଼ ଉପରେ ବୋହି ଡାକ୍ତରଖାନାକୁ ନେବାକୁ ପଡ଼ୁଛି । କୌଣସି ଉପାନ୍ତ ଅଞ୍ଚଳ ରେ ନୁହେଁ, ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଆଜି ସକାଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲିର କୁହ୍ଲିବିନ୍ଧା ଗାଁର ତ୍ରିଲୋଚନ ମହାନ୍ତିଙ୍କ ଝିଅ ବୀଣା ପ୍ରଧାନ( ୩୫)ଙ୍କର ପ୍ରସବ ବେଦନା ହେବାରୁ ପରିବାର ଲୋକେ ସ୍ଥାନୀୟ ଆଶାକୁ ଜଣାଇଥିଲେ । ମେଡ଼ିକାଲ ଯିବା ପାଇଁ ଆମ୍ବୁଲାନ୍ସକୁ ଡକାଇଥିଲେ। ମାତ୍ର ଆମ୍ବୁଲାନ୍ସ ସହିତ ଯୋଗାଯୋଗ ନହେବାରୁ ଚାନ୍ଦବାଲି ବଜାରରୁ ଏକ ଅଟୋ ମଗାଇ ଥିଲେ । ଗାଁକୁ ରାସ୍ତା ନଥିବାରୁ ଅଟୋଟି ଗାଁ ମୁଣ୍ଡ ରାସ୍ତା ଉପରେ ଛିଡ଼ା ହୋଇ ରହିଥିଲା । ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଭାରରେ ପ୍ରସୂତିଙ୍କୁ ବୋହି ବୋହି ୩କିମି ବିଲ ରାସ୍ତାରେ ଆଣିଥିଲେ । ଆଉ ତା’ପରେ ମୁଖ୍ୟରାସ୍ତାରେ ଅଟକିଥିବା ଅଟୋ ସାହାଯ୍ୟରେ ଚାନ୍ଦବାଲି ମେଡ଼ିକାଲକୁ ଅଣାଯାଇଥିଲା । ସେଠାରେ ବିଣା ପ୍ରଧାନଙ୍କର ପ୍ରସବ କରା ଯାଇଥିଲା ।

କୁହ୍ଲିବିନ୍ଧା ଗାଁରେ ପାଖାପାଖି ଦୁଇହଜାର ଲୋକ ବାସ କରନ୍ତି । ଗାଁକୁ ଖଣ୍ଡେ ପକ୍କା ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ରାସ୍ତାର ଅବସ୍ଥା ଏପରି ହୋଇଛି ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ଗାଁକୁ ଖଣ୍ଡେ ରାସ୍ତା ପାଇଁ ଗ୍ରାମବାସୀ ମାନେ ସ୍ଥାନୀୟ ବି.ଡ଼ିଓଙ୍କ ଠାରୁ ଆରମ୍ଭ କରି  ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ହେଲେ କେହି ଶୁଣୁନଥିବା ଅଭିଯୋଗ କାରିଛନ୍ତି ।