ଭୁବନେଶ୍ୱରରେ ବର୍ଷା ହେବ ବୋଲି . . . ଆଗୁଆ ସତର୍କତାମୂଳକ ପଦକ୍ଷେପ ! ଜାରି ହେଲା କଣ୍ଟ୍ରୋଲ ରୁମ ନମ୍ବର

33

କନକ ବ୍ୟୁରୋ : ଆଜି ସକାଳୁ ସକାଳୁ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଚାରିଆଡ଼େ ଖାଲି ପାଣିପାଣି । ପ୍ରବଳ ବର୍ଷାରେ ଭୁବନେଶ୍ୱରରେ ପୂର୍ବଭଳି ଅବସ୍ଥା ଦେଖିବା ପାଇଁ ମିଳିଛି । ବର୍ଷା ପାଣି ନିଷ୍କାସନ ହୋଇପାରୁନଥିବା ଯୋଗୁଁ ଗାଡ଼ି ଚଳାଚଳରେ ମଧ୍ୟ ଅସୁବିଧା ହେଉଛି । ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସ୍ମାର୍ଟସିଟି ଭୁବନେଶ୍ୱରରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ । ବର୍ଷାରେ ରାସ୍ତା ଉପରେ ପାଣି ଜମି ରହୁଛି । ବର୍ଷାଜଳ ନିଷ୍କାସନ ହୋଇ ପାରୁନଥିବାରୁ ରାସ୍ତାରେ ଯେମିତି କୃତ୍ରିମ ଜଳାଶୟ ସୃଷ୍ଟି ହେଉଛି । ତେବେ ସ୍ମାର୍ଟସିଟି ଭୁବନେଶ୍ୱର ପାଇଁ ଏହା ନୂଆ କଥା ନୁହେଁ । ଅସରାଏ ବର୍ଷାରେ ମଧ୍ୟ ସ୍ମାର୍ଟସିଟିର ହାଲ ବେହାଲ ହୋଇଯାଏ । ତେବେ ଭୁବନେଶ୍ୱରରେ ୧୫୦ ମିମି ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ଚେତାବନୀ ଦେଇଛି । ଏଥିପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ କରିଦେଇଛି ।

ବର୍ଷା ହେବାମାତ୍ରେ ଭୁବନେଶ୍ୱରରେ ବର୍ଷାଜଳ ନିଷ୍କାସନ ହୋଇପାରେ ନାହିଁ ।  ଯଦ୍ୱାରା ଗମନାମଗମନ ଅସୁବିଧା ସହ ଲୋକେ ହଇରାଣ ହୁଅନ୍ତି । ତେବେ ଆଗକୁ ଏପରି ସମସ୍ୟାକୁ ଦୃଷ୍ଟିରେ ରଖି ପମ୍ପ ସାହାଯ୍ୟରେ ପାଣି ବାହାର କରିବା ପାଇଁ ବିମଏସି ପକ୍ଷରୁ ପ୍ରସ୍ତୁତି ସରିଛି । ଏନେଇ ବଏମସି ପକ୍ଷରୁ ନୀଳକଣ୍ଠେଶ୍ୱର ମନ୍ଦିର ପାଖରେ ଏକ ପମ୍ପ ଲଗାଯାଇଛି । କେବଳ ଏତିକି ନୁହେଁ ଅଗ୍ନିଶମ ବିଭାଗ ତରଫରୁ ମଧ୍ୟ ରତ୍ନଭିଲ୍ଲା ଅଂଚଳରେ ମଧ୍ୟ ଏକ ପମ୍ପ ଲଗାଯାଇଛି । ଅଧିକ ବର୍ଷାକୁ ନଜର ରଖି ବଏମସି, ଜଳ ସଂଶୋଧନ ବିଭାଗ ଓ ଲୋକ ସ୍ୱାସ୍ଥ୍ୟ ଇଞ୍ଜିନିଅରିଂ ବିଭାଗ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ସେପଟେ ଅଧିକ ବର୍ଷା ହେଲେ ସ୍ଥିତିର ଗମ୍ଭୀରତାକୁ ଦୃ୍ଷ୍ଟିରେ ରଖି ଭୁବନେଶ୍ୱରର ଗୌରୀ ଗାର୍ଡ଼େନ, ଗୌରୀନଗର ଲେନ୍, ଗୌରୀ ସଙ୍କର ଇଂଲିସ୍ ମିଡ଼ିୟମ୍ ସ୍କୁଲ, ଗ୍ୟାରେଜ ଛକ କେନାଲ ସାଇନ୍ , ନୂଆଁଗାଁ ମେନ୍ ରୋଡ଼ରେ ବର୍ଷାଜଳ ନିଷ୍କାସନ ପାଇଁ ପୂର୍ବରୁ ପମ୍ପ ଲଗାଯାଇଛି । ସହରର ସ୍ଥିତି ଉପରେ ନଜର ରଖିବା ପାଇଁ ୧୩ଟି ଟିମ୍ କରାଯାଇଛି । ବିଏମସିର ୪୦ ଜଣ ଇଞ୍ଜିନିୟରଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି । ତେବେ ବର୍ଷା ଜଳ ନିୟନ୍ତ୍ରଣ କରିବା ପାଇଁ ବିଏମସି ଏକ ନମ୍ବର ମଧ୍ୟ ଜାରି କରିଛି । ୦୬୭୪-୨୪୩୨୨୮୧ କୁ ଡାଏଲ କରି ସହରବାସୀ ଯୋଗାଯୋଗ କରିପାରିବେ । ଏହାବ୍ୟତୀତ ଲୋକେ ଭୁବନେଶ୍ୱର ଅପରେସନ୍ ସେଣ୍ଟ ନମ୍ବର ୧୮୦୦୩୪୦୦୬୧କୁ କଲ୍ କରି ମଧ୍ୟ ସାହାଯ୍ୟ ମାଗିପାରିବେ ।

ସୂଚନାଯୋଗ୍ୟ ସାରା ରାଜ୍ୟରେ ସକାଳୁ ବର୍ଷା ଲାଗି ରହିଛି । ୧୮ ଜିଲ୍ଳାରେ ପ୍ରବଳ ବର୍ଷା ସହ ଘଡଘଡି ନେଇ ସତର୍କ କରିଛି ଆଂଚଳିତ ପାଣିପାଗ କେନ୍ଦ୍ର । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତ୍ସିଂହପୁର, କଟକ, କେନ୍ଦୁଝର, ମୟୁରଭଂଜ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେଓଗଡ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଓ କନ୍ଧମାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦିନ ୧୦ଟାରୁ ଦିନ ୨ଟା ଯାଏଁ ସର୍ତକ ରହିବାକୁ ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ଗତ କିଛି ଦିନ ତଳେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଣି ଲଘୁଚାପ ବର୍ଷା ଆଉଥରେ ବନ୍ୟା ଆଶଙ୍କା ସୃଷ୍ଟି କରିଛି ।