କନକ ବ୍ୟୁରୋ : ଧୀରେ ଧୀରେ ମୌସୁମୀ ଆଗମନ ପାଇଁ ବାଟ ଫୁଟୁଛି । ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବାୟୁ’ ଯୋଗୁଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିବାରେ ବିଳମ୍ବ ହେଉଥିଲା । କିନ୍ତୁ ଏବେ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାବେଳେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି । ଲଘୁଚାପ ହେଲେ ରାଜ୍ୟରେ ୨୦ତାରିଖ ବେଳକୁ ଭଲ ବର୍ଷା ହେବ । ଆଉ ବାତ୍ୟା ‘ବାୟୁ’ର ପ୍ରଭାବ ରହିବନି । ଏହାବାଦ୍ ଉତ୍ତର-ପୂର୍ବ ଭାରତରେ ସକ୍ରିୟ ହୋଇଥିବା ମୌସୁମୀ ବାୟୁ ଏବେ ଦକ୍ଷିଣ ଦିଗରେ ଗତି କରୁଛି । ତେଣୁ ମୌସୁମୀ ଓଡ଼ିଶା ଛୁଇଁବା ପାଇଁ ବାଟ ଫିଟିଛି ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଏହା ଆସନ୍ତା ତିନିରୁ ଚାରିଦିନ ପର୍ଯ୍ୟନ୍ତ ଲାଗି ରହିବ । ଆକାଶରେ ଏବେ ପର୍ଯ୍ୟାପ୍ତ ମେଘ ବାଦଲ ଥିବାରୁ ନିଶ୍ଚିତ ବର୍ଷା ହେବ । ଘୂର୍ଣ୍ଣିବଳୟ ବି ଲଘୁଚାପ ହେବା ପାଇଁ ଦାନା ବାନ୍ଧୁଛି। ତେଣୁ ମୌସୁମୀ ୪ରୁ ୫ଦିନ ଭିତରେ ଓଡ଼ିଶା ଛୁଇଁବ ।