ରଥଯାତ୍ରା ହେବା ନେଇ ଚାଲିଛି ବିଚାରବିମର୍ଷ । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ର ପାଇଁ ଅଳ୍ପ ଦିନ ଥିବାବେଳେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଲେ ଆଇନ୍ ମନ୍ତ୍ରୀ

374

କନକ ବ୍ୟୁରୋ : କରୋନା ମହାମାରୀକୁ ନେଇ ବିଶ୍ବ ଏବେ ସଙ୍କଟରେ । ପ୍ରତିଦିନ ଲକ୍ଷାଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଭାରତରେ ମଧ୍ୟ ଏହି ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ଏହି ସଂଖ୍ୟା ୬୦ ଛୁଇଁଲାଣି । ବିଶେଷକରି ପୁରୀର ନିକଟବର୍ତ୍ତୀ ତଥା ରାଜଧାନୀ ଭୁବନେଶ୍ବରରେ କରୋନା କାୟା ବିସ୍ତାର କରିଛି । କରୋନା ସଂକ୍ରମଣର ଭୟାବହତାକୁ ନଜରରେ ରଖି କେନ୍ଦ୍ର ସରକାର ଲକଡାଉନ୍ ଅବଧି ବୃଦ୍ଧି ଘୋଷଣା କରିଛନ୍ତି । ଓଡ଼ିଶା ସରକାର ମଧ୍ୟ ଲକଡାଉନ୍ ଅବଧିକୁ ଏପ୍ରିଲ ୩୦ ତାରିଖ ଯାଏ ଏହା ବଢ଼ାଇ ଦେଇଛନ୍ତି । ପରିସ୍ଥିତିର ଗମ୍ଭୀରତାକୁ ଦେଖି ଏଥର ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ବାତିଲ କରି ଦିଆଯାଇଛି । ଏବେ ସମସ୍ତଙ୍କ ନଜର ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଉପରେ ରହିଛି ।

ଆସନ୍ତା ଜୁନ ୨୩ରେ ପଡ଼ୁଥିବା ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଏବେ ଅନଶ୍ଚିତତା ଦେଖାଦେଇଛି । ତେବେ ଏହି ସମୟରେ ପୁରୀରେ ରଥଯାତ୍ରା ହେବା ନେଇ ଚାଲିଛି ବିଚାରବିମର୍ଷ । ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ରଥଯାତ୍ରା ନେଇ ଆଲୋଚନା ଚାଲିଛି । ତେବେ ଏ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଏ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଉ ଅଳ୍ପଦିନ ବାକି ରହିଛି । ଅନ୍ୟପଟେ ରଥାଯାତ୍ର ପାଇଁ ପୁରୀରେ ରଥକାଠ ପହଞ୍ଚିସାରିଛି । ତେବେ ଏହି ସମୟରେ କରୋନା ବିରୋଧରେ ଲଢେଇ ଚାଲିଥିବାରୁ ରଥଯାତ୍ରା ହେବ କି ନାହିଁ ସେ ବିଚାରବିମର୍ଷ ଚାଲିଛି ।