ରାଜ୍ୟର ସମସ୍ତ ବସଷ୍ଟାଣ୍ଡର ହେବ ଉନ୍ନତୀକରଣ : ବସଷ୍ଟାଣ୍ଡରେ ହେବ ସପିଂ ମଲ ଓ ମଲ୍ଟିପ୍ଲେକ୍ସ, ଖୁବ ଶୀଘ୍ର ଚାଲିବ ବିଦ୍ୟୁତ ଚାଲିତ ବସ୍

455

କନକ ବ୍ୟୁରୋ : ରାଜ୍ୟର ସମସ୍ତ ବସଷ୍ଟାଣ୍ଡର ଉନ୍ନତୀକରଣ ହେବ । ଏଣିକି ସମସ୍ତ ବସ ଷ୍ଟାଣ୍ଡରେ ରହିବ ସପିଂ ମଲ । ଆବଶ୍ୟକ ସ୍ଥଳେ ବଡ଼ ବସଷ୍ଟାଣ୍ଟ ଗୁଡ଼ିକରେ ମଲ୍ଟିପ୍ଲେକ୍ସର ବ୍ୟବସ୍ଥା କରାଯିବ । ଜନସାଧାରଣ ବସଷ୍ଟାଣ୍ଡରେ ଅତ୍ୟାଧୁନିକ ସୁବିଧାସୁଯୋଗ ପାଇପାରିବେ । କେବଳ ଏତିକି ନୁହେଁ ଓଏସଆରଟିସିର ବସ ସଂଖ୍ୟା ବଢ଼ାଇବା ପାଇଁ ମଧ୍ୟ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ସହରାଂଚଳ ବିକାଶ  ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ବର୍ତ୍ତମାନ ସୁଦ୍ଧା ମୋ ବସ ଅଧିକ ସଫଳ ହୋଇଛି  । କ୍ରୁଟ୍ ପକ୍ଷରୁ ମୋ ବସ ସେବାକୁ ଅଧିକ ଉନ୍ନତ କରିବା ପାଇଁ ଏକ ୱାର୍କସପ୍ ଆୟୋଜିତ ହୋଇଛି । ଦେଶ ବାହାରୁ ବିଶେଷଜ୍ଞ ଆସି ଏହି ୱାର୍କସପରେ ଯୋଗ ଦେଇଛନ୍ତି । ବିଶ୍ୱରେ ଥିବା ବଡ଼ ବଡ଼ ସହରରେ ବସ ସେବା କିପରି ଚାଲିଛି ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷଜ୍ଞଙ୍କ ମତ ଅନୁସାରେ ଆଗାମୀ ସମୟରେ ରାଜ୍ୟ ସରକାର ବସ୍ ସେବାକୁ ବିକଶିତ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ଅନ୍ୟପଟେ ‘ମୋ ବସ୍’ ପାଇଁ କେନ୍ଦ୍ର ସରକାର ମଧ୍ୟ ରାଜ୍ୟକୁ ପ୍ରଶଂସା କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ମୋ ବସ୍ ସେବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟୁଛି । ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆଉ ୧୮୯ ବସ୍ କିଣିବାର ଯୋଜନା ରହିଛି । ୫୦ଟି ବିଦ୍ୟୁତ ଚାଲିତ ବସ ସହ ମୋ ବସ୍ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବ । ସବୁଠାରୁ ବଡ଼ ଖୁସିର କଥା ହେଲା ଜନସାଧାରଣଙ୍କ ନିକଟରୁ ଭଲ ଫିଡ଼ବ୍ୟାକ୍ ମଧ୍ୟ ମିଳୁଛି । ପ୍ରତ୍ୟେକ ମାସରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରତ୍ୟେକ ଦିନ ୧ ଲକ୍ଷରୁ ଅଧିକ ଯାତ୍ରୀ ଯାତାୟାତ କରୁଛନ୍ତି ପ୍ରତାପ ଜେନା କହିଛନ୍ତି  ।