ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ : ବିଜେଡ଼ିର ସାଂଗଠନିକ ସମ୍ପାଦକ ହେଲେ ଯାଜପୁର ବିଧାୟକ, ବିଜୁ ଜୟନ୍ତୀରେ ଦଳୀୟ କାର୍ଯ୍ୟାଳୟରେ ଘୋଷଣା କଲେ ବିଜେଡି ସୁପ୍ରିମୋ

2,647

କନକ ବ୍ୟୁରୋ : ପରିଶ୍ରମୀ ନେତାଙ୍କୁ ପରିଶ୍ରମ ପାଇଁ ପୁରସ୍କାର । ବିଜେପୁର ଓ ପାଟକୁରା ନିର୍ବାଚନରେ ପ୍ରଣବ ପ୍ରକାଶ ଦାସ ଗୁରୁ ଦାୟିତ୍ୱ ନିଭାଇଥିଲେ । ଦଳକୁ ବିଜୟୀ କରିବା ପାଇଁ ପ୍ରାଣପଣେ ଲାଗିପଡ଼ିଥିଲେ ବିଜେଡ଼ିର ଟାଣୁଆ ଯୁବନେତା । ଦଳର ଘଡିସନ୍ଧି ମୁହୂର୍ତ୍ତରେ ପ୍ରଣବ ତାଙ୍କର ଅଭିଜ୍ଞତା କୁହାଯାଉ କିମ୍ବା ଦଳ ପ୍ରତି ଆନୁଗତ୍ୟ ଦଳ ସପକ୍ଷରେ ପରିସ୍ଥିତିକୁ ପରିବର୍ତ୍ତନ କରିଛନ୍ତି । ଆଉ ଏଥିପାଇଁ ଆଜି ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁପ୍ରିମୋଙ୍କ ଏହି ନିଷ୍ପତ୍ତିକୁ ଦଳର କର୍ମକର୍ତ୍ତା ସ୍ୱାଗତ କରିଛନ୍ତି ।

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କୁ ମିଳିଲା ନୂଆ ଦାୟିତ୍ୱ । ଏଣିକି ବିଜେଡିର ସବୁ ସଙ୍ଗଠନର ଇନଚାର୍ଜ ରହିବେ ପ୍ରଣବ । ବିଜୁ ଜୟନ୍ତୀରେ ବିଜେଡି ଅଫିସରେ ଦଳର ସୁପ୍ରିମୋ ଆଜି ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୧୪, ୨୦୧୯ , ବିଜେପୁର ଓ ପାଟକୁରା ନିର୍ବାଚନରେ ଦଳ ପାଇଁ ଅହରହ କାମ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ଆଜି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ । ଏହି ଅବସରରେ ବିଜେଡି କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣବ ପ୍ରକାଶ ଦାସଙ୍କୁ ପରିଶ୍ରମର ଫଳ ପ୍ରଦାନ କରିଛନ୍ତି ।

ଦଳକୁ ଆହୁରି ମଜଭୁତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ସୁପ୍ରିମୋ ଜଣେ ଉପଯୁକ୍ତ ବ୍ୟକ୍ତିଙ୍କ ହାତରେ ଏହି ଗୁରୁତ୍ୱପୂର୍ଣ୍ଣ ପଦଟି ପ୍ରଦାନ କରିଥିବା କର୍ମକର୍ତ୍ତା କହୁଛନ୍ତି । ପ୍ରଣବ ପ୍ରକାଶ ଦାସଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ସାଂଗଠନିକ କାର୍ଯ୍ୟ ସବୁ ଠିକଠାକ୍ ଚାଲିପାରିବ ବୋଲି ଚର୍ଚ୍ଚା ହେଉଛି ।