ଅନୁଗୁଳ ବଅଁରପାଳ ରାଜରାସ୍ତାରେ ବସିଲା ପ୍ରଜାକୋର୍ଟ : ବାଇକ କଟ୍ ମାରିବାରୁ ଉତକ୍ଷିପ୍ତ ହେଲେ ସାଂସଦଙ୍କ ପ୍ରତିନିଧି, ୨ ଯୁବକଙ୍କୁ ଆଣ୍ଠେଇ ନିସ୍ତୁକ ମାଡ଼ ମାରିଲେ

22

କନକ ବ୍ୟୁରୋ : ରାଜରାସ୍ତାରେ ବସିଲା ପ୍ରଜାକୋର୍ଟ । ଆଉ ଦଣ୍ଡବିଧାନ ହେଲା , ଦଣ୍ଡ ବି ଦିଆଗଲା । ଏପରି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବଅଁରପାଳରେ । ବାଇକଟରେ କଟ ମାରିବାକୁ କେନ୍ଦ୍ରକରି ଜଣେ ରାଜନେତା, ୨ଜଣ ବ୍ୟକ୍ତିଙ୍କୁ ଆଣ୍ଠେଇ ମାଡ ମାରିବା ସହ ଗାଳିଗୁଲଜ କରିଛନ୍ତି । ଆଉ ଏପରି ଘଟଣା ସମସ୍ତଙ୍କ ସାମ୍ନାରେ ହୋଇଥିଲା, ସମସ୍ତେ ଦେଖୁଥିଲେ ବି କେହି ଅଟକାଇବାକୁ ସାହସ କରିନଥିଲେ । କାହିଁକି ନା ଏହି ରାଜନେତା ଜଣଙ୍କ ଜଣେ ସାଂସଦଙ୍କ ପ୍ରତିନିଧି ।

ମାନବିକତାର ସବୁ ସୀମା କିପରି ପାର କରିଛି ମଣିଷ । ମଝିରାସ୍ତାରେ ପ୍ରଜାକୋର୍ଟରେ ଦଣ୍ଡବିଧାନ । ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବଅଁରପାଳ ୫୫ନମ୍ବର ଜାତୀୟ ରାଜପଥ ରାସ୍ତାକଡରେ । ଦୁଇଜଣ ଯୁବକଙ୍କୁ ରାଜପଥ କଡରେ ଆଣ୍ଠେଇ ଦିଆଯାଇଛି । ସେମାନଙ୍କୁ ମାଡ ମାରୁଛନ୍ତି ଜଣେ ବ୍ୟକ୍ତି । ଅସଭ୍ୟ ଭାଷା ମଧ୍ୟ ପ୍ରୟୋଗ କରିଛନ୍ତି ଏହି ବ୍ୟକ୍ତି ଜଣଙ୍କ । ପ୍ରଜାକୋର୍ଟରେ ଦଣ୍ଡ ଦେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ସାଂସଦଙ୍କ ପ୍ରତିନିଧି ।

ମାଡ ଖାଇଥିବା ବ୍ୟକ୍ତିି ୨ଜଣଙ୍କ ଦୋଷ ଥିଲା ଏତିକି, ସାଂସଦଙ୍କ ପ୍ରତିନିଧିଙ୍କ ରାସ୍ତାରେ ଆସୁଥିବା ସମୟରେ ଏମାନେ ଦୁଇଟି ବାଇକରେ ତାଙ୍କୁ କଟ ମାରିଥିଲେ । ବାସ ଏତିକିରେ ଉତକ୍ଷିପ୍ତ ହୋଇଯାଇ୍ଥିଲେ ରାଜନେତା ଜଣକ । ବଅଁରପାଳ ଛକରେ ସଂପୃକ୍ତ ବ୍ୟକ୍ତି ଏଭଳି ଦଣ୍ଡ ଦେଇଥିଲେ । ସବୁଠାରୁ ବଡ କଥା ହେଲା ସଂପୃକ୍ତ ରାଜନେତା ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଏହି ଦୃଶ୍ୟକୁ ସମସ୍ତେ ଦେଖୁଥିଲେ ବି କେହି ଅଟାଇବାକୁ ସାହସ କରିନଥିଲେ ।