ବାତ୍ୟା ମୁକାବିଲାରେ ରାଜ୍ୟକୁ କେନ୍ଦ୍ରୀୟ ଟିମର ପ୍ରଶଂସା : କହିଲେ, ଭିତ୍ତିଭୂମି ସଜାଡିବା ଲାଗି ରାଜ୍ୟକୁ ସହଯୋଗ କରିବ କେନ୍ଦ୍ର,ଏପଟେ ଦିଲ୍ଲୀ ଅଫିସରଙ୍କ ତ୍ୱରିତ ପଦକ୍ଷେପକୁ ପ୍ରଶଂସା କଲେ ଏସଆରସି

105

କନକ ବ୍ୟୁରୋ : ଏପଟେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସଚିବଙ୍କ ପ୍ରଶଂସା ଏବଂ କେନ୍ଦ୍ରକୁ ପ୍ରଶଂସା କରିଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର । ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ , ରାଜ୍ୟ ସରକାରଙ୍କୁ ପ୍ରଶଂସା କରି କହିଛନ୍ତି । ବାତ୍ୟା ପ୍ରଭାବିତଙ୍କ ପାଖରେ ରାଜ୍ୟ ସରକାର ଦ୍ରୁତଗତିରେ ରିଲିଫ୍ ପହଁଚାଇପାରିଛନ୍ତି । ସେପଟେ ବାତ୍ୟା ପରେ ତୁରନ୍ତ ପ୍ରଭାବିତ ଅଂଚଳରେ ପହଁଚିଥିବାରୁ କେନ୍ଦ୍ରକୁ ପ୍ରଶଂସା କରିଛନ୍ତି ଏସଆରସି ।

ବାତ୍ୟା ପ୍ରଭାବିତ ଅଂଚଳରେ ଘରକୁ ଘର ବୁଲି ତିନି ଦିନର ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି କେନ୍ଦ୍ର ସଚିବ । କହିଛନ୍ତି, ବାତ୍ୟା ପ୍ରଭାବିତଙ୍କୁ ରନ୍ଧାଖାଦ୍ୟ ହେଉ ଅବା ରିଲିଫ୍, ଟଙ୍କା ଏବଂ ରହିବାକୁ ଜରିପାଲ, ଦ୍ରୁତ ଗତିରେ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ବିଦ୍ୟୁତ୍ ଭିତିଭୂମି ସଜାଡିବା ଏବଂ ମନରେଗା ଭଳି କାମରେ କେନ୍ଦ୍ର , ରାଜ୍ୟକୁ ସହଯୋଗ କରିବ ବୋଲି ସଚିବ କହିଛନ୍ତି ।

ସେପଟେ ପ୍ରଥମଥର ପାଇଁ ପ୍ରାକୃତିକ ବିପର୍ଯ୍ୟୟ ପରେ ପରେ ଏବଂ ରାଜ୍ୟ ସରକାରଙ୍କ ଦାବି ପୂର୍ବରୁ ପ୍ରଭାବିତ ଅଂଚଳରେ ପହଁଚିଛି କେନ୍ଦ୍ରୀୟ ଟିମ୍ । ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଦେଖିଛନ୍ତି ଏବଂ କ୍ଷୟକ୍ଷତି ଆକଳନ କରିଛନ୍ତି । ବାତ୍ୟା ପରେ ତୁରନ୍ତ କ୍ଷୟକ୍ଷତି ଆକଳନ କରିଥିବାରୁ କେନ୍ଦ୍ରକୁ ପ୍ରଶଂସା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ଗତ ୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ବାତ୍ୟା ସ୍ଥିତିର ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କ ବାତ୍ୟା ମୁକାବିଲା ନେଇ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ପରେ ୫ଲକ୍ଷ ଗୃହ ନିର୍ମାଣ ପାଇଁ କେନ୍ଦ୍ରକୁ ଅନୁରୋଧ କରିବା ସହ ସହଯୋଗ ପାଇଁ କେନ୍ଦ୍ର ସରକାରକୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ ।