ପୁଣି ଉଠିଲା ଏମଏସପି ପ୍ରସଙ୍ଗ : ମୋଦି ସରକାରଙ୍କ ଉପରେ ବର୍ଷିଲେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ

35

କନକ ବ୍ୟୁରୋ : ପୁଣି ଉଠିଲା ଏମଏସପି ପ୍ରସଙ୍ଗ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ । ଜୁନ ଦ୍ୱିତୀୟ ସପ୍ତାହ ସୁଦ୍ଧା କେନ୍ଦ୍ର ସରକାର ଏମଏସପି ସ୍ଥିରିକୃତ କରିବାର ଥିଲା । କିନ୍ତୁ ଜୁଲାଇ ମାସ ହେଲାଣି ଏ ପର୍ଯ୍ୟନ୍ତ କୌଣସି ମୂଲ୍ୟ ସ୍ଥିର ହୋଇପାରିଲାଣି । ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରାଇବା ପାଇଁ ରାଜ୍ୟ ସରକାର ଦାବି କରିଆସୁଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ ।

କିନ୍ତୁ କେନ୍ଦ୍ରସରକାର ପ୍ରସ୍ତାବ ଦେଇଛନ୍ତି ୧୭୪୫ ଟଙ୍କା କରାଇବା ପାଇଁ । ଏନେଇ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି କୃଷି ମନ୍ତ୍ରୀ । ତାହା ସହିତ ମନ୍ତ୍ରୀ ଲେଖିଥିବା ଚିଠିର ଜବାବ ମିଳି ନାହିଁ ବୋଲି କହିଛନ୍ତି ପ୍ରଦୀପ ମହାରଥୀ । ଅନ୍ୟପଟେ ପ୍ରଦୀପ ମହାରଥୀ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, ଚାଷୀର ଆୟ ଦ୍ୱିଗୁଣିତ ହେବ । କେନ୍ଦ୍ର ଏନେଇ ନିଷ୍ପିତି ନେବ । କିଛି ରାଜ୍ୟ ରିପୋର୍ଟ ଦେବାରେ ବିଳମ୍ବ ହେଉଛି ତେଣୁ ଏମଏସପି ମୂଲ୍ୟ ନିର୍ଦ୍ଦାରଣରେ ବିଳମ୍ବ ହେଉଛି । ଅନ୍ୟପଟେ କଂଗ୍ରେସ କହିଛି ଚାଷୀଙ୍କୁ ଅବହେଳା କରାଯାଉଛି ।