ମହାରଥୀ ରାଗି ନିଆଁ : ମନ୍ତ୍ରୀଙ୍କ ଆକ୍ଷେପକୁ ବିବରଣୀରୁ ବାଦ୍ ଦିଆନଗଲେ ବିଧାନସଭା ନଆସିବାକୁ ଦେଲେ ଚେତାବନୀ

287

କନକ ବ୍ୟୁରୋ : ମାନ କରିଛନ୍ତି ମହାରଥୀ । ମନ୍ତ୍ରୀ ନିରଞ୍ଜନଙ୍କ କଥା ଖୁବ ବାଧିଛି । ଗତକାଲି ଗୃହରେ ମନ୍ତ୍ରୀଙ୍କ ଆକ୍ଷେପରେ ମର୍ମାହତ ହୋଇ ରାତି ସାରା ଉପବାସରେ ରହିଛନ୍ତି ମହାରଥୀ । ତେବେ ମନ୍ତ୍ରୀଙ୍କ ଆକ୍ଷେପ ଯୋଗୁଁ ଦୁଃଖ ପ୍ରକାଶ କରିବା ସହ ଆଜି ଶାଣିତ ସ୍ୱରରେ ଗୃହରେ ବର୍ଷିଛନ୍ତି ବିଜେଡ଼ି ବିଧାୟକ । ଗୃହରେ ଭୁଲ ତଥ୍ୟ ଦେଇଥିବା କହି ଆକ୍ରମଣାତ୍ମକ ଶୈଳୀରେ ନିରଞ୍ଜନ ପୂଜାରୀଙ୍କୁ  ଟାର୍ଗେଟ କରିଛନ୍ତି । ଏତେ ବର୍ଷ ରାଜନୈତିକ ଜୀବନରେ ଏପରି ବ୍ୟବହାର କରାଯାଇନି ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ।

ମହାରଥୀ ରାଗି ନିଆଁବାଣ । ଗୃହରେ ପୁଣି ବର୍ଷିଲେ ପ୍ରଦୀପ ମହାରଥୀ । ମନ୍ତ୍ରୀ ନିରଞ୍ଜନଙ୍କ ଆକ୍ଷେପକୁ ବିବରଣୀରୁ ବାଦ ଦିଆଯାଉ ବୋଲି ଦାବି କଲେ ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀ । ବିବରଣୀରୁ ବାଦ୍ ଦିଆନଗଲେ ସେ ବିଧାନସଭାକୁ ଆସିବିନି ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଏ ପ୍ରସଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ହସ୍ତକ୍ଷେପ ମଧ୍ୟ ଲୋଡ଼ିଛନ୍ତି ମହାରଥୀ । ସମସ୍ତ ଘଟଣାକୁ ଅନୁଧ୍ୟାନ କରି ବିବରଣୀରୁ ବାଦ୍ ଦିଆଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଏପଟେ ମହାରଥୀ ଓ ନିରଞ୍ଜନଙ୍କ ତୁ ତୁ ମେଁ ମେଁ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ମହାରଥୀ ରାଗି ନାହାନ୍ତି ତାଙ୍କ କହିବା ଷ୍ଟାଇଲ୍ ସେହିଭଳି । ଯାତ୍ରା ପାର୍ଟି ରୋଲ୍ ଭଳି ଡାଇଲଗ୍ ମାରନ୍ତି ମହାରଥୀ । ସେ ଜଣେ ଡାଇବେଟିସ୍ ରୋଗୀ, କଲିଠୁ ଖାଇନାହାନ୍ତି କ’ଣ ଉପାସରେ ବିଧାନସଭା ଆସିଛନ୍ତି କି ବୋଲି କହି କଟାକ୍ଷ କରିଛନ୍ତି ପ୍ରମିଳା ।