ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଦୀପ ମହାରଥୀ ! ନିର୍ବାଚନ ଲଢିବାକୁ ପ୍ରସ୍ତୁତ ବୋଲି କହିଲେ ପିପିଲି ବିଧାୟକ

210

କନକ ବ୍ୟୁରୋ : ନିର୍ବାଚନ ଲଢ଼ିବେ ପ୍ରଦୀପ ମହାରଥୀ । ଟିକେଟ୍ ପାଇଁ ପିପିଲି ବିଧାୟକ ପ୍ରଦୀପ ମହାରଥୀ ନବୀନ ନିବାସରେ ବିଜେଡ଼ି ସୁପ୍ରିମୋଙ୍କ ସହ ଆଲୋଚନା କରିଛନ୍ତି ।  ଆଲୋଚନା ପରେ ଏଥର ନିର୍ବାଚନ ଲଢ଼ିବି ବୋଲି ସ୍ପଷ୍ଟ କରିଛନ୍ତି ପ୍ରଦୀପ ମହାରଥୀ । ଏଥର ନିଶ୍ଚିତ ଭାବେ ନିର୍ବାଚନ ଲଢ଼ିବି ଏବଂ ମୁଁ ନିର୍ବାଚନ ପାଇଁ ପୁରା ପ୍ରସ୍ତୁତ ବୋଲି କହିଛନ୍ତି ପ୍ରଦୀପ ମହାରଥୀ । ହେଲେ ଦଳର ମୁଖିଆ ଯାହା ନିଷ୍ପତି ନେବେ ତାକୁ ମାନିବି ବୋଲି କହିଛନ୍ତି ପ୍ରଦୀପ । ତେବେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ନେଇ ଚୁପ ରହିଛନ୍ତି ମହାରଥୀ । ସୂଚନାଯୋଗ୍ୟ ଗତ ଜାନୁୟାରୀ ମାସରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପ୍ରଦୀପ ମହାରଥୀ । ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିବା ପରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।

ସେପଟେ ନିର୍ବାଚନ ପାଇଁ ବିଜେଡିରେ ବଢୁଛି ଆଶାୟୀଙ୍କ ଭିଡ । ଆଜି ମଧ୍ୟ ନବୀନ ନିବାସ ଆଗରେ ଦେଖିବାକୁ ମିଳିଛି ଆଶାୟୀଙ୍କ ପ୍ରବଳ ଭିଡ । ହାତରେ ବାୟୋଡାଟା ଧରି ନବୀନ ନିବାସରେ ନେତାଙ୍କ ଲମ୍ୱା ଲାଇନ୍ ଲାଗିଛି । ବିଧାନସଭା ଓ ଲୋକସଭାକୁ ମିଶାଇ ମୋଟ୍ ୧୬୮ଟି ଆସନ ପାଇଁ ଗତ ୪ଦିନ ମଧ୍ୟରେ ପଡିସାରିଲାଣି ୩୦ ହଜାରରୁ ଅଧିକ ଆବେଦନ । ଏହା ମଧ୍ୟରୁ କାହାକୁ ଟିକେଟ୍ ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କାହାର ଟିକେଟ୍ ରହିବ, କାହାର ଟିକଟ୍ କଟିବ, ସେସବୁକୁ ନେଇ ଏବେ ବି ଚିତ୍ର ଅସ୍ପଷ୍ଟ ରହିଛି । କହିବାକୁ ଗଲେ ଆଶାୟୀ ପ୍ରାର୍ଥୀ ଟିକେଟ୍ ପାଇବାକୁ ଆଶା ରଖିଥିବା ବେଳେ ଷ୍ଟାଣ୍ଡିଂ ବିଧାୟକ ଓ ସାଂସଦ ଏଥର ଟିକେଟ୍ ରହିବ ନା କଟିବ ତାକୁ ନେଇ ମଧ୍ୟ ସନ୍ଦେହରେ ଅଛନ୍ତି ।