ପ୍ରବାସୀ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ । କଟକ ଟାଙ୍ଗୀ ନିକଟ ବନ୍ଦାଳ ଛକରେ ଟ୍ରକକୁ ପଛପଟୁ ଦେଲା ଧକ୍କା । ୨ ଗୁରୁତର, ୮ ଆହତ ।

514

କନକ ବ୍ୟୁରୋ : ପ୍ରବାସୀ ଓଡିଆଙ୍କୁ ଧରି ଫେରୁଥିବା ବସ ଦୁର୍ଘଟଣାଗ୍ରସ୍ତ । କଟକ- ଟାଙ୍ଗୀରେ ବସଟି ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଛି । ବନ୍ଦାଳ ନିକଟରେ ଟ୍ରକଟି ରାସ୍ତା କଡରେ ଛିଡା ହୋଇଥିବାବେଳେ ଏହାକୁ ବସ ଧକ୍କା ଦେଇଥିବା ଜଣାପଡିଛି ।  ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି ।

ତାମିଲନାଡୁରୁ କିଛି ଶ୍ରମିକଙ୍କୁ ନେଇ ଏକ ବସ୍‌‌ ଭଦ୍ରକ ଆସୁଥିବା ବେଳେ କଟକ ଜିଲ୍ଲାର ଟାଙ୍ଗୀ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏଥିରେ ୮ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଟାଙ୍ଗୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହିତ ଘଟଣାର ତଦନ୍ତ କରୁଛି । ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଯାଉଥିବା ବସ୍‌ଟି ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେବା ଫଳରେ ଏହି ଅଘଟଣ ଘଟିଥିଲା ।