ବିଧାନସଭାରେ ରତ୍ନଭଣ୍ଡାରର ହିସାବ ଦେଲେ ସରକାର ! ୧୨ ହଜାର ୮୩୧ ଭରି ରହିଛି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ

84

କନକ ବ୍ୟୁରୋ :  ଶ୍ରୀମନ୍ଦିର ରତ୍ନଭଣ୍ଡାରର ଆଜି ହିସାବ ଦେଇଛନ୍ତି ସରକାର । ରତ୍ନଭଣ୍ଡାରରେ ରହିଛି ୧୨ ହଜାର ୮୩୧ ଭରି ୧ ଅଣା ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ । ସେହିଭଳି ରୂପାବାସନ ଓ ପୂଜାସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ରହିଛି ୨୨ ହଜାର ୧୫୩ ଭରି । ଆଜି ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । ପୁରୀ ଶ୍ରୀମନ୍ଦିର ପ୍ରଶାସନର ତଥ୍ୟକୁ ଆଧାର କରି ଏଭଳି ଉତ୍ତର ରଖିଛନ୍ତି ରାଜ୍ୟ ସରାକାର । ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଉପଲବ୍ଧ ତଥ୍ୟ ଅନୁସାରେ , ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ଦ୍ୱାରା ୧୯୭୮ ମସିହାରେ ରତ୍ନଭଣ୍ଡାରର ଭିତର ଓ ବାହାରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା । ଏହି ସମୟରେ ରତ୍ନଭଣ୍ଡାରରେ ଯେଉଁ କିସମର ଜିନିଷ ଥିଲା ତାର ପରିମାଣ ଦିଆଯାଇଛି । ଏହାଛଡା ବିଭିନ୍ନ କାରଣରୁ ୧୪ ଗୋଟି ସୁନା ଓ ରୂପା ଜିନିଷ ଓଜନ ହୋଇପାରିନାହିଁ । ତେଣୁ ଏହାକୁ ହିସାବରେ ସାମିଲ କରାଯାଇନାହିଁ । ଏହି ତାଲିକା ପ୍ରସ୍ତୁତ କରାଯିବାବେଳେ ମୂଲ୍ୟାୟନ କରାଯାଇଥିବାର ରେକର୍ଡ ଉପଲବ୍ଧ ନୁହେଁ ।

ସୂଚନାଯୋଗ୍ୟ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରହସ୍ୟକୁ ନେଇ ବିଭିନ୍ନ ସମୟରେ ନାନା କଥା ଶୁଣିବାକୁ ମିଳିଥାଏ । ଏପରିକି ରତ୍ନଭଣ୍ଡାରକୁ ନେଇ ଅନେକ କାଳ୍ପନିକ ଓ ଅଲୌକିକ କାହାଣୀ ଶୁଣିବାକୁ ମିଳିଥାଏ । ରତ୍ନଭଣ୍ଡାରର ତୃତୀୟ ଓ ଚତୁର୍ଥ ଘରେ ହିଁ ସୁନା,ରୂପା, ମୋତି,ମାଣିକ ଓ ମୂଲ୍ୟବାନ ଅଳଙ୍କାର ରହିଛି ବୋଲି ଲୋକଙ୍କ ମତ । ଏପର୍ୟ୍ୟନ୍ତ ରତ୍ନ ଭଣ୍ଡାରର ତୃତୀୟ ଓ ଚତୁର୍ଥ ଘର ଖୋଲା ଯାଇ ନାହିଁ । କି ଏହାକୁ ଖୋଲିବାକୁ କେହି ସାହସ ମଧ୍ୟ କରନ୍ତି ନାହିଁ । ଲୋକକଥା ଅନୁଯାୟୀ ଏହି ଭଣ୍ଡାରଙ୍କୁ ଲୋକନାଥଙ୍କ ଚଳନ୍ତି ପ୍ରତିମା ଜଗି ରହିଛନ୍ତି । ଏହାସହ ଏହି ଭଣ୍ଡାର ଘରୁ ସାପଙ୍କର ଭୟଙ୍କର ସଁ ସଁ ଶବ୍ଦ ଶୁଣିବାକୁ ମିଳେ ବୋଲି ଲୋକକଥା ରହିଛି ।